ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ପୂଜା ପାଇଁ ପାଣି ଆଣିବାକୁ ମହାନଦୀ ଘାଟକୁ ଯାଇଥିବା ବେଳେ ନଦୀରେ ଖସିପଡ଼ିଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପା ନଦୀ ସ୍ରୋତରେ ଭାସି ନିଖୋଜ ହୋଇଯାଇଛନ୍ତି।
ନିଖୋଜ ବ୍ୟକ୍ତି ହେଲେ ପାରାଦ୍ୱୀପ ଲକ୍ ଥାନା ଅନ୍ତର୍ଗତ ନିମିଢିହି ଗ୍ରାମର ଇଶ୍ୱର ବାରିକ। ସୂଚନା ଅନୁଯାୟୀ, ସେ ନିଜ ପୁଅ ସହ ଶ୍ରାବଣ ସୋମବାର ପୂଜା ପାଇଁ ପାଣି ଆଣିବାକୁ ଭୂତୁମୁଣ୍ଡାଇ ପୋଲ ନିକଟ ମହାନଦୀ ଘାଟକୁ ଯାଇଥିଲେ। ଏହି ସମୟରେ ପୁଅର ଗୋଡ଼ ଖସିଯିବାରୁ ସେ ନଦୀ ସ୍ରୋତରେ ଭାସିଯାଉଥିଲେ। ପୁଅକୁ ବଞ୍ଚାଇବାକୁ ଇଶ୍ୱର ବାରିକ ନଦୀକୁ ଡେଇଁ ପଡ଼ିଥିଲେ। ପୁଅକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ସେ ନିଜେ ନଦୀରେ ନିଖୋଜ ହୋଇଯାଇଥିଲେ।
ଆହତ ପୁଅଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ସୂଚନା ପାଇ ପାରାଦ୍ୱୀପ ଲକ୍ ଥାନା ପୋଲିସ ଏବଂ କୁଜଙ୍ଗ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ ।


