ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ଅଞ୍ଚଳରେ ପ୍ରଶାସନିକ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ। ଏକପଟେ ବାହାର ରାଜ୍ୟର ଠିକାଦାର ଓ ମିସ୍ତ୍ରୀ ଦ୍ୱାରା ସ୍ଥାନୀୟ ଶ୍ରମିକଙ୍କ ଉପରେ ଘାତକ ଆକ୍ରମଣ, ଆଉ ଅନ୍ୟପଟେ ଅଞ୍ଚଳରେ ବଢୁଥିବା ବାହାର ରାଜ୍ୟର ଅନୁପ୍ରବେଶକାରୀ। ଗତ ଶନିବାର ରାତିରେ ସଂଘବଦ୍ଧ ଭାବରେ ବଙ୍ଗାଳୀ ମିସ୍ତ୍ରୀ ମାନେ ସାମାନ୍ୟ ବଚସାକୁ ନେଇ ଜଣେ ସ୍ଥାନୀୟ ଶ୍ରମିକ ଟୁନା ମାହାରର ତଣ୍ଟିକୁ କାଟି ହତ୍ୟା ଉଦ୍ୟମ କରିଥିଲେ।
ଝାଡ଼ଖଣ୍ଡ ଓ ବାଂଲାଦେଶରୁ ଅନୁପ୍ରବେଶକାରୀ ମାନେ ଆସି ସ୍ଥାନୀୟ ଜଂଗଲ ସଫାକରି ରହି ଏଠାରେ ନିଜ କାୟା ବିସ୍ତାର କରିବାରେ ଲାଗିଛନ୍ତି। କେତେକ ବଙ୍ଗାଳୀ ରହିଙ୍ଗ୍ୟା ଫେରିବାଲା, ରାଜମିସ୍ତ୍ରୀ କାମ କରି ଗାଁ ଗାଁ ବୁଲି ଦିନବେଳା ବେପାର କରୁଥିବା ବେଳେ ରାତି ହେଲେ ଚୋରି କରୁଛନ୍ତି। ରାଜମିସ୍ତ୍ରୀ ପାଖରେ ଶ୍ରମିକ ଭାବରେ କାମ କରୁଥିବା ସ୍ଥାନୀୟ ମହିଳା ଓ ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଲଭ୍ ଜିହାଦ କରୁଛନ୍ତି। ଏବଂ ତାଙ୍କ ଠାରୁ ସନ୍ତାନ ଜନ୍ମ ହେଲା ପରେ ଛାଡି ଚାଲିଯାଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ। ତେଣୁ ତାର ତଦନ୍ତ କରାଯାଉ। ଏବଂ ରାସନକାର୍ଡ, ଭୋଟରକାର୍ଡ ଆଦି ହାତେଇବା ପରେ ବିଭିନ୍ନ ସରକାରୀ ଯୋଜନାର ଫାଇଦା ନେଉଛନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରି ତଡିପାର କରାଯାଉ।
ରେଢ଼ାଖୋଲ ଉପଖଣ୍ଡ ଓ ସହରରେ ବାହାର ଲୋକଙ୍କୁ ଘର ଭଡା ଦେଉଥିବା ଘରମାଲିକଙ୍କ ଠାରୁ ସଂପୂର୍ଣ୍ଣ ସୂଚନା ଅଣାଯାଉ ବୋଲି ଆଜି ଏକ ପ୍ରେସ୍ ବିବୃତ୍ତିରେ ବିଜେପି ବିଧାନସଭା ଗଣମାଧ୍ୟମ ସଂଯୋଜକ ଅନିଲ ପୃଷ୍ଟି ପ୍ରଶାସନ ପାଖରେ ଦାବି କରିଛନ୍ତି।


