ବେଲୁଚିସ୍ତାନ: ବେଲୁଚିସ୍ତାନର ସୁରବ ଅଞ୍ଚଳରେ ପାକିସ୍ତାନୀ ବାୟୁସେନାର ବିମାନ ଆକ୍ରମଣରେ ବଡ଼ ଧରଣର ଜନହାନି ହୋଇଥିବା ଦାବି କରାଯାଇଛି। ଆକ୍ରମଣରେ ୯ ଶିଶୁ, ୭ ମହିଳା ଓ ୧୨ ପୁରୁଷଙ୍କ ସମେତ ମୋଟ ୨୮ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ଓ ବୁଧବାର ମଧ୍ୟରାତ୍ରିରେ ସୁରବ ସହରର ଗୋନ୍ଧନ ଗାଁରେ ଏୟାର ଷ୍ଟ୍ରାଇକ ହୋଇଥିଲା। ବେଲୁଚ୍ ଲଢ଼ୁଆଙ୍କୁ ଲକ୍ଷ୍ୟ କରି ଅଭିଯାନ ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଘର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।
ଆକ୍ରମଣ ପରେ ଧ୍ୱଂସାବଶେଷ ତଳୁ ମୃତଦେହ ଉଦ୍ଧାର କରାଯାଇଥିବା ଦାବି କରାଯାଇଛି। ମୃତକଙ୍କ ମଧ୍ୟରେ ଛୋଟ ଛୋଟ ଶିଶୁ ଓ ମହିଳା ଥିବାରୁ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆହତ ୧୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ବେଲୁଚିସ୍ତାନରେ ସାମରିକ ଅଭିଯାନକୁ ନେଇ ପୂର୍ବରୁ ମଧ୍ୟ ପାକିସ୍ତାନ ସରକାର ଓ ବେଲୁଚ୍ ଗୋଷ୍ଠୀଗୁଡ଼ିକ ମଧ୍ୟରେ ତୀବ୍ର ବିବାଦ ରହିଛି। ତେବେ ଏହି ଆକ୍ରମଣ ସମ୍ପର୍କରେ ପାକିସ୍ତାନୀ ସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।
ପୂର୍ବରୁ ମଧ୍ୟ ପାକିସ୍ତାନୀ ସେନାର ବିମାନ ଆକ୍ରମଣରେ ସାଧାରଣ ନାଗରିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା। ୨୦୨୫ ସେପ୍ଟେମ୍ବରରେ ଖାଇବର ପଖତୁନଖ୍ୱାର ତିରାହ ଉପତ୍ୟକାରେ ହୋଇଥିବା ଏକ ବିମାନ ଆକ୍ରମଣରେ ୩୦ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଦାବି କରାଯାଇଥିଲା। ପାକିସ୍ତାନୀ ସେନା ବେଲୁଚିସ୍ତାନରେ ଏକ ବିମାନ ଆକ୍ରମଣରେ 28 ଜଣଙ୍କ ହତ୍ୟାକାଣ୍ଡ ଉପରେ ସମ୍ପୂର୍ଣ୍ଣ ନୀରବ ରହିଛି ଏବଂ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।


