ବାରିପଦା: ପ୍ରବଳ ବର୍ଷା ଓ ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଆଜି, ଅଗଷ୍ଟ ୧୪ ତାରିଖରେ ପାଠପଢ଼ା ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ନିର୍ଦ୍ଦେଶ ଅନୁସାରେ, ଅଙ୍ଗନବାଡ଼ି କେନ୍ଦ୍ର ସମେତ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ଆଜି ବନ୍ଦ ରହିବ। ତେବେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀମାନେ ପୂର୍ବ ନିର୍ଦ୍ଧାରିତ ସମୟରେ ସ୍କୁଲରେ ଉପସ୍ଥିତ ରହିବେ।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ୮ ତାରିଖରେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମୟୂରଭଞ୍ଜ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଜିଲ୍ଲାପାଳ ସମସ୍ତ ସ୍କୁଲ୍ ବନ୍ଦ ଘୋଷଣା କରିଥିଲେ।
ଆଜି ସକାଳୁ ମଧ୍ୟ ଜିଲ୍ଲାର ଅଧିକାଂଶ ଅଞ୍ଚଳ ମେଘୁଆ ରହିଥିବା ବେଳେ ବର୍ଷା ଜାରି ରହିଛି। ଲଗାଣ ବର୍ଷାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।


