ରଣପୁର: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନ ବେଣ୍ଟ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଜଙ୍ଗଲ ମଧ୍ୟରେ ଏକ ପାଣି ଧାର ନିକଟରୁ ମୃତଦେହଟି ଉଦ୍ଧାର ହୋଇଥିବା ବେଳେ, ଦୀର୍ଘ ସମୟ ଧରି ପଡ଼ି ରହିଥିବାରୁ ଶରୀରର ଅଧିକାଂଶ ମାଂସପେଶୀ ନଷ୍ଟ ହୋଇ କେବଳ ହାଡ଼ କଙ୍କାଳ ଓ ଖପୁରୀ ଦେଖାଯାଉଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ମୃତକଙ୍କ ଦେହରେ ନୀଳ ରଙ୍ଗର ପ୍ୟାଣ୍ଟ ଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ଏଯାବତ୍ ମିଳିନଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ରହସ୍ୟ ଘେରରେ ରହିଛି।
ସୂଚନା ମୁତାବକ, ଜଣେ ଗାଈଆଳ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା ସମୟରେ ଅଞ୍ଚଳରୁ ଆସୁଥିବା ଦୁର୍ଗନ୍ଧ ଅନୁଭବ କରିଥିଲେ। ପରେ ସ୍ଥାନୀୟ ଲୋକେ ଦୁର୍ଗନ୍ଧର ଉତ୍ସ ଖୋଜି ଜଙ୍ଗଲ ଭିତରକୁ ଯାଇ ଗଳିତ ମୃତଦେହ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯିବା ପରେ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ମୃତକ କିଏ, କେବେ ଏବଂ କିପରି ଏଠାକୁ ଆସିଲେ, ତାଙ୍କ ମୃତ୍ୟୁ ସ୍ୱାଭାବିକ ନା ଏହା ପଛରେ କୌଣସି ଅପରାଧିକ ଘଟଣା ରହିଛି—ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିଚୟ ଓ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତକୁ ଗୁରୁତ୍ୱ ଦିଆଯାଉଛି।


