ଭୁବନେଶ୍ୱର: ପିଆଜର ବର୍ଦ୍ଧିତ ଦର ବୃଦ୍ଧି ରୋକିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଜିଲ୍ଲାର ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ ବଜାର ଉପରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ଆଈଗିଣିଆ ଠାରେ ଥିବା ବିଭିନ୍ନ ପିଆଜ ଗୋଦାମ ଉପରେ ଚଢ଼ାଉ କରାଯାଇ ଗଚ୍ଛିତ ପରିମାଣ ଓ ମୂଲ୍ୟ ଉପରେ ତଦାରଖ କରାଯାଇଥିଲା।
ଯାଞ୍ଚରୁ ଜଣା ପଡିଥିଲା ଯେ, ଆସିବା ସ୍ଥାନରୁ ମୂଲ୍ୟ ବୃଦ୍ଧି ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୂଲ୍ୟ ବୃଦ୍ଧି ଘଟିଛି। କ୍ରୟ ସ୍ଥାନରେ ମୂଲ୍ୟ କିଲୋ ପିଛା ୩୭ ଟଙ୍କାରୁ ୪୨ ଟଙ୍କା ଥିବାର ଗୋଦାମ ମାଲିକ ମାନେ ଜଣାଇଥିଲେ। ଏଥିପାଇଁ ଖୁଚୁରା ଦୋକାନ ମାନଙ୍କରେ ମୂଲ୍ୟ ୪୦ ଟଙ୍କାରୁ ୪୫ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେବାର ଦେଖାଦେଇଥିଲା।
ସମସ୍ତ ଖୁଚୁରା ଏବଂ ହୋଲସେଲରମାନଙ୍କୁ ସେମାନଙ୍କର ଗଚ୍ଛିତ ଓ ମୂଲ୍ୟ ସାରଣୀ ଦୋକାନ ସାମ୍ନାରେ ମାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଜଣାଯାଇଥିଲା ଯେ, ଆମଦାନୀ ପରିମାଣରେ କୌଣସି କମ ହୋଇନାହିଁ। ତେଣୁ ବଜାରରେ ପିଆଜ ଆବଶ୍ୟକ ଅନୁଯାଇ ମହଜୁଦ ଅଛି।
ସେହିଭଳି ଖୋର୍ଦ୍ଧାର ମ୍ୟୁନିସିପାଲିଟି ବଜାର ସହ ଭୁବନେଶ୍ୱରର ଚାରି ନମ୍ବର ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ, କୋଚିଲେଇ ହାଟ ଓ ଏକ ନମ୍ବର ହାଟରେ ଜାଞ୍ଚ କରାଯାଇଥିଲା।
ଚଢ଼ାଉରେ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ ଦତ୍ତ ଓ ନିରୀକ୍ଷିକା ଅଲିଭା ଦାସ, ରିତା ମାଝୀ ଓ ଶ୍ରଦ୍ଧାଞ୍ଜଳି ସେଠି ଆଦି ଉପସ୍ଥିତ ଥିଲେ। ଏଇ ଯାଞ୍ଚ ଜାରି ରହିବ ବୋଲି ଯୋଗାଣ ବିଭାଗରୁ ଜଣା ପଡିଛି।


