ବାଣପୁର: ଆଜି ଗୋଦାବରୀଶ ମହାବିଦ୍ୟାଳୟଠାରେ ବିଶ୍ଵ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହାସହିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ନୁଆଦିଲ୍ଲୀ ଦ୍ବାରା ସଂଚାଳିତ ସଂସ୍କୃତ ଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ ମଧ୍ୟ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ବିଶେଷ ବକ୍ତୃତା କାର୍ଯ୍ୟକ୍ରମର ଆୟୋଜନ ସଂସ୍କୃତ ବିଭାଗ ଦ୍ବାରା କରାଯାଇଥିଲା।
ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଏସ୍.ପି.ଏନ୍.ଏସ ବର୍ମା ସଭାପତିତ୍ୱ କରିଥିଲେ, ପ୍ରଶାସନିକ ଅଧିକାରୀ ଆଦିତ୍ୟ ସାରଥି ବେଦମତ୍ତା ସମ୍ମାନିତ ଅତିଥି ଭାବେ ସ୍ୱମତ ବ୍ୟକ୍ତ କରିଥିଲେ, ମୁଖ୍ୟଅତିଥି ରୂପେ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ସଂସ୍କୃତ ବିଭାଗୀୟ ମୁଖ୍ୟ ଡ଼ ସୁଜିତ ମିଶ୍ର ମହୋଦୟ ସଂସ୍କୃତ ଭାଷାରେ ସତ୍ ଚରିତ୍ର ଗଠନ କଳା ଶୀର୍ଷକ ଉପରେ ତାତ୍ତ୍ଵିକ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ସୁବ୍ରତ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଡ଼ ଅରବିନ୍ଦ ନାୟକ ସଭା ପରିଚାଳନା କରିଥିଲେ। ବର୍ଣ୍ଣାଳୀ ପ୍ରମାଣିକ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଉପସ୍ଥିତ ହୋଇ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା, ହିଟଲର ବେହେରା, ତାପସ କୁମାର ଦାଶ, ଅଧ୍ୟାପିକା ପୟୋସ୍ମି ମିଶ୍ର ସଭାର ମହିମାମଣ୍ଡନ କରିଥିଲେ। ଏହି ସଭାରେ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।


