ଭଦ୍ରକ: ଭଦ୍ରକ ଚରମ୍ପା ରେଳ ଓଭରବ୍ରିଜ୍ ନିକଟରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନର ବିବାଦକୁ ନେଇ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ ହେବାରୁ ଜଣେ ଗୋଷ୍ଠୀର ୭ ଜଣ କିନ୍ନର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଆହତ ସମସ୍ତଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଚରମ୍ପା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।
ଆହତ କିନ୍ନର ଶ୍ରାବଣୀଙ୍କ ଅଭିଯୋଗ ଅନୁସାରେ, ସଞ୍ଜନା କିନ୍ନର ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଆକ୍ରମଣରେ ତାଙ୍କ ଗୋଷ୍ଠୀର ୭ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଭଦ୍ରକ ଚରମ୍ପା ଅଞ୍ଚଳରେ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ କିଛି ବର୍ଷ ହେବ ବିବାଦ ଲାଗିରହିଛି। ଏହି ବିବାଦକୁ ନେଇ ପୂର୍ବରୁ ମଧ୍ୟ ଭଦ୍ରକ ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ଆକ୍ରମଣ ସମ୍ପର୍କରେ ଖବର ପାଇବା ପରେ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାର କାରଣ ଓ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ, ଆକ୍ରମଣରେ ଦୋଷୀଙ୍କ ବିରୋଧରେ ଦୃଢ଼ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ପ୍ରଦାନ କରିବାକୁ ଆହତ କିନ୍ନରମାନେ ଦାବି କରିଛନ୍ତି। ତେବେ ଦୀର୍ଘଦିନର ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ଏବେ ନଜର ରହିଛି।


