ଭୁବନେଶ୍ବର: ଓଡ଼ିଶାକୁ ପୁଣି ଥରେ ଆଖୁ ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କୃଷି ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ‘ଆଖୁ ବିକାଶ ଉପରେ ପ୍ରଯୁକ୍ତିବିଦ୍ୟା ମିଶନ୍’ ରାଜ୍ୟ ଯୋଜନା ଅଧୀନରେ ‘ଅଧିକ ଅମଳ ପାଇଁ ଆଧୁନିକ ପ୍ରଣାଳୀରେ ଆଖୁଚାଷ’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି।
ଏହି କର୍ମଶାଳାରେ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଆଖୁ ଚାଷ ହେଉଥିବା ଜିଲ୍ଲାଗୁଡ଼ିକରେ ପ୍ରଯୁକ୍ତିବିଦ୍ୟାର ପ୍ରସାର, କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଭିତ୍ତିକ ବଜାର ସଂଯୋଗକୁ ସୁଦୃଢ଼ କରିବା ଏବଂ ଉତ୍ପାଦକତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଉଦ୍ଘାଟନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଆଖୁର ମୂଲ୍ୟବୃଦ୍ଧି ଓ ଚାଷ ଖର୍ଚ୍ଚ ହ୍ରାସ ଉପରେ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ଆଧୁନିକ କୃଷି ପଦ୍ଧତି, ସଠିକ ଜଳସେଚନ ଏବଂ ଉଚ୍ଚ-ଅମଳକ୍ଷମ କିସମ ବିହନର ବ୍ୟବହାର ଦ୍ୱାରା ହାରାହାରି ଉତ୍ପାଦକତା ବୃଦ୍ଧି କରାଯିବ। ଚାଷୀମାନେ ଯେପରି କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ, ସେଥିପାଇଁ ଗବେଷଣାଲବ୍ଧ ଜ୍ଞାନକୁ ପ୍ରୟୋଗଶାଳାରୁ ସିଧାସଳଖ ଜମିକୁ ଅଣାଯାଉଛି। ସେହିପରି ସମବାୟ ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଲେ ଯେ, ସମବାୟ ମଡେଲ ଓ ଏଫପିଓ ମାଧ୍ୟମରେ ଆଖୁ ଚାଷୀମାନଙ୍କୁ ସିଧାସଳଖ ବଜାର ସହ ଯୋଡ଼ାଯିବ, ଯାହାଦ୍ୱାରା ସମୟୋଚିତ କ୍ରୟ ଓ ଉଚିତ ମୂଲ୍ୟ ସୁନିଶ୍ଚିତ ହୋଇପାରିବ।
ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ଓୟୁଏଟି କୁଳପତି ଡ. ପ୍ରଭାତ କୁମାର ରାଉଳ, କୃଷି ନିର୍ଦ୍ଦେଶକ ଶୁଭମ୍ ସକ୍ସେନା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆଖୁ ଉତ୍ପାଦନରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୫ ଜଣ ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା।


