ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଜୁଲାଇ ବିକ୍ଷୋଭରେ ଯୋଗ ଦେଇଥିବା ଜଣେ ଆଇନ୍ ଛାତ୍ରଙ୍କୁ ନୋଟିସ୍ ଜାରି କରିବା ଘଟଣାରେ ଗ୍ରେଟର ନୋଏଡାର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପରେ ସୁପ୍ରିମକୋର୍ଟ ପ୍ରବଳ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ସିଜେପି ବିକ୍ଷୋଭ ସହ ଜଡ଼ିତ ଶିକ୍ଷାର୍ଥୀଙ୍କ ବିରୋଧରେ ରୁଜୁ ସମସ୍ତ ଏଫ୍ଆଇଆର୍କୁ ସୁପ୍ରିମକୋର୍ଟ ରଦ୍ଦ କରିଥିଲେ। ଏଥିସହ ପରବର୍ତ୍ତୀ ସମୟରେ କୌଣସି ଶିକ୍ଷାର୍ଥୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ କେମିତି କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ବିକ୍ଷୋଭରେ ସାମିଲ ଥିବା ଜଣେ ଆଇନ୍ ଛାତ୍ରଙ୍କୁ ନୋଟିସ୍ କଲେ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଦେଶର କୌଣସି ସ୍ଥାନରେ ଶିକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ଆମେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଜାରି କରିଥିଲୁ, ତଥାପି ନୋଟିସ୍ କରିବାକୁ କେମିତି ଜଣେ ମାଜିଷ୍ଟ୍ରେଟ୍ ସାହସ ଦେଖାଇଲେ।
ସେପ୍ଟେମ୍ବର ୧ରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ରେ ଥିବା ସ୍ୱତନ୍ତ୍ର କ୍ଷମତାକୁ ବ୍ୟବହାର କରି ସିଜେପି ବିକ୍ଷୋଭ ସହ ଜଡ଼ିତ ଶିକ୍ଷାର୍ଥୀଙ୍କ ବିରୋଧରେ ରୁଜୁ ସମସ୍ତ ଏଫ୍ଆଇଆର୍କୁ ରଦ୍ଦ କରିଥିଲେ। ଜୁଲାଇ ୨୦ରୁ ୨୫ ମଧ୍ୟରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରୁଜୁ ଏଫ୍ଆଇଆର୍କୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଭବିଷ୍ୟତରେ ଆନ୍ଦୋଳନ ସହ ଜଡ଼ିତ ପିଲାମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ଅଦାଲତ ସ୍ପଷ୍ଟ ଭାବେ କହିଥିଲେ। ତଥାପି ଗ୍ରେଟର ନୋଏଡା ମାଜିଷ୍ଟ୍ରେଟ୍ ଜଣେ ଛାତ୍ରଙ୍କୁ ନୋଟିସ୍ କରିଥିଲେ।


