ଭୁବନେଶ୍ୱର: BDAର ଦୀର୍ଘ ୩୫ ବର୍ଷର ଜମି ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ। BDAର କେ-୭ ପ୍ଲଟଧାରୀଙ୍କୁ ମିଳିଲା ଆଶ୍ଵସ୍ତି । ୩୫ବର୍ଷରୁ ଉର୍ଦ୍ଧ୍ଵ ଅପେକ୍ଷା ପରେ କଳିଙ୍ଗ ନଗର କେ-୭ ପ୍ଲଟେଡ୍ ଡେଭଲପମେଣ୍ଟ ସ୍କିମ୍ର ଜମି ସମସ୍ୟାର ସମାଧାନ ହୋଇଛି। ଏହି ସ୍କିମ୍ ସମ୍ପର୍କିତ ୨୦୦ରୁ ଅଧିକ ମାମଲାର ଫଇସଲା କରାଯାଇଛି । ଦୁଇମାସ ମଧ୍ୟରେ ୨୦୩ ଜଣଙ୍କୁ କେ – ୭ ପଟ୍ଟା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛନ୍ତି । ପ୍ରକୃତ ଆବଣ୍ଟନଗ୍ରହୀତାଙ୍କ ନାମରେ ହାଲ୍ ରେକର୍ଡ ଅଫ୍ ରାଇଟ୍ସ (ROR) ସଂଶୋଧନ ପାଇଁ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
୧୯୯୧ରେ ବିଡିଏ ପକ୍ଷରୁ କଳିଙ୍ଗ ନଗର କେ-୭ ସ୍କିମ୍ରେ ବିଭିନ୍ନ ବ୍ୟକ୍ତିଙ୍କୁ ପ୍ଲଟ୍ ଆବଣ୍ଟନ କରାଯାଇଥିଲା। ତେବେ ୨୦୧୩-୧୪ର ଶେଷ ବନ୍ଦୋବସ୍ତ ସମୟରେ RORରେ ନାମ ଓ ଜମି ପରିମାଣକୁ ନେଇ ଅସଙ୍ଗତି ଦେଖାଦେଇଥିଲା। ଫଳରେ ଆବଣ୍ଟନଗ୍ରହୀତାମାନେ ଦୀର୍ଘବର୍ଷ ଧରି ରାଜସ୍ୱ ରେକର୍ଡ ସଂଶୋଧନ ପାଇଁ ଦୌଡ଼ାଦୌଡ଼ି କରୁଥିଲେ।
ସମସ୍ୟାର ସମାଧାନ ପାଇଁ ରାଜସ୍ୱ ପରିଷଦ ସଦସ୍ୟ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶରେ ବିଡିଏ, ସାଧାରଣ ପ୍ରଶାସନ ବିଭାଗ ଓ ରାଜସ୍ୱ ବିଭାଗକୁ ନେଇ ମିଳିତ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ଓ ଦସ୍ତାବିଜ ଆଧାରରେ ୧୦ ସେପ୍ଟେମ୍ବର ୨୦୨୬ରେ ୨୦୦ରୁ ଅଧିକ ମାମଲାର ଫଇସଲା ହୋଇଛି।


