ବେରୁତ : ଇସ୍ରାଏଲ୍ ସେନା ଦକ୍ଷିଣ ଲେବାନନ୍ରେ ହିଜ୍ବୁଲା ଉଗ୍ରବାଦୀ ସଂଗଠନର ଏକ ସୁଡ଼ଙ୍ଗକୁ ବିସ୍ଫୋରଣ କରି ଧ୍ୱଂସ କରିଦେଇଛି। ଇସ୍ରାଏଲ୍ ଦକ୍ଷିଣ ଲେବାନନ୍ରେ ଥିବା ହିଜବୁଲାର ୨ କିଲୋମିଟରରୁ ଅଧିକ ଲମ୍ବର ସୁଡ଼ଙ୍ଗକୁ ବ୍ଲାଷ୍ଟ କରି ନଷ୍ଟ କରିଦେଇଛି। ଏହି ବିସ୍ଫୋରଣ ପାଇଁ ପ୍ରାୟ ୧୧୦୦ ଟନ୍ ବିସ୍ଫୋରକ ବ୍ୟବହାର କରାଯାଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସ୍ଥାନୀୟ ଅଞ୍ଚଳରେ ୪.୧ ତୀବ୍ରତାର ଭୂକମ୍ପ ଭଳି ଝଟ୍କା ଅନୁଭୂତ ହୋଇଥିଲା।
ଲେବାନନ୍ର ସରକାରୀ ନ୍ୟୁଜ୍ ଏଜେନ୍ସି ଅନୁସାରେ, ଧମାକା ଯୋଗୁଁ ଆଖପାଖ ଅଞ୍ଚଳରେ ମାଟି କମ୍ପିବାକୁ ଲାଗିଥିଲା। ଏହି ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ୍ସ’ରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ‘ମିଶନ୍ ପୂରଣ ହେଲା। ହ୍ୟାପି ନ୍ୟୁ ଇୟର।’ ଇସ୍ରାଏଲ୍ ସେନା ଅନୁସାରେ, ଏହି ସୁଡ଼ଙ୍ଗ ଭିତରେ ଇରାନ-ନିର୍ମିତ ବହୁ ରକେଟ୍, ମିସାଇଲ୍ ଏବଂ ଡ୍ରୋନ୍ ରଖାଯାଇଥିଲା। ଏଠାରୁ ମେସିନ୍ ଗନ୍, ଆଣ୍ଟି-ଟ୍ୟାଙ୍କ ମିସାଇଲ୍ ଏବଂ ଶହ ଶହ ଲ୍ୟାଣ୍ଡମାଇନ୍ସ ଓ ବିସ୍ଫୋରକ ମଧ୍ୟ ମିଳିଛି। ସେନା ସୂଚନା ଦେଇଛି ଯେ ଏହି ପରିସରରେ ହିଜବୁଲାର ‘ବଦ୍ର’ ୟୁନିଟ୍ର କମାଣ୍ଡ ସେଣ୍ଟର ମଧ୍ୟ ଥିଲା।
ଇସ୍ରାଏଲୀ ସେନା (ଆଇଡିଏଫ୍) ଅଲି ଅଲ-ତାହେର ପାହାଡ଼ ତଳେ ତିଆରି ହୋଇଥିବା ହିଜବୁଲାର ସୁଡ଼ଙ୍ଗ ନେଟୱର୍କର ଫୁଟେଜ୍ ଜାରି କରିଛି। ଭିଡିଓରେ ସୈନିକମାନେ ସୁଡ଼ଙ୍ଗ ଭିତରେ ତଲାସି ନେଉଥିବାର ନଜର ଆସୁଛନ୍ତି। ଆଇଡିଏଫ୍ ଅନୁସାରେ, ଜୁନ୍ ମାସରେ ସିଜ୍ଫାୟାର୍ ପର ଠାରୁ ଏଠାରେ ପ୍ରାୟ ୫୦ ଜଣ ହିଜବୁଲା ସଶସ୍ତ୍ର ଲଢ଼ୁଆ ଲୁଚି ରହିଥିଲେ। ତେବେ ଏହି ଅଞ୍ଚଳକୁ କବ୍ଜା କରିବା କାର୍ଯ୍ୟାନୁଷ୍ଠାନ ସମୟରେ ଅନେକ ହିଜବୁଲ୍ଲା ଲଢ଼ୁଆ ନିହତ ହୋଇଥିଲେ। ସେନା ଅନୁସାରେ, ଏମାନଙ୍କ ମଧ୍ୟରୁ କେତେକ ସୁଡ଼ଙ୍ଗରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ତଲାସି ସମୟରେ ସୈନିକମାନଙ୍କୁ ପ୍ରାୟ ୧୨ଟି ଶବ ମଧ୍ୟ ମିଳିଥିଲା। ତେବେ ଆଉ କିଛି ହିଜବୁଲା ଲଢ଼ୁଆ ଏହି ଅଞ୍ଚଳରୁ ଫେରାର୍ ହେବାରେ ସଫଳ ହୋଇଥାଇପାରନ୍ତି ବୋଲି ମଧ୍ୟ ଆଇଡିଏଫ୍ ଆଶଙ୍କା କରୁଥିବା ସୂଚନା ମିଳିଛି। ପ୍ରକାଶ, ଏହି ସୁଡ଼ଙ୍ଗ ନେଟୱାର୍କ ତିଆରି କରିବାକୁ ହିଜ୍ବୁଲ୍ଲାକୁ ୨୦ ବର୍ଷ ଲାଗିଥିଲା ଏବଂ ଏଥିପାଇଁ ଇରାନ ଆର୍ôଥକ ସହାୟତା (ଫଣ୍ଡିଂ) ଦେଇଥିଲା। ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ୍ କାଟ୍ଜ ଏହାକୁ ଏକ ଆତଙ୍କୀ ନେଟୱର୍କ ବୋଲି କହିଛନ୍ତି। ପ୍ରକାଶ, ହିଜବୁଲାର ‘ବଦ୍ର’ ୟୁନିଟ୍ ଦକ୍ଷିଣ ଲେବାନନ୍ରେ ସଂଗଠନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୈନ୍ୟ ୟୁନିଟ୍ଗୁଡ଼ିକ ମଧ୍ୟରୁ ଗୋଟିଏ। ଏହା ଲିଟାନୀ ନଦୀର ଉତ୍ତର ଅଞ୍ଚଳରେ ସକ୍ରିୟ ରହିଛି।


