ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ‘ତହେଲକା’ ପତ୍ରିକାର ପୂର୍ବତନ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ ୨୦୧୩ ଯୌନ ନିର୍ଯାତନା ମାମଲାରେ ସୋମବାର ଗୋଆର ମାପୁସା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ବମ୍ବେ ହାଇକୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ତେଜପାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆତ୍ମସମର୍ପଣରୁ ଛାଡ଼ ପାଇବାକୁ ଆବେଦନ କରିଥିଲେ। ତେବେ ଉଚ୍ଚତମ ଅଦାଲତ ଗତମାସରେ ଏହି ଯାଚିକାକୁ ଖାରଜ କରିବା ସହ ୩ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ଦେଇଥିବା ସମୟସୀମା ଶେଷ ହେବା ପୂର୍ବରୁ ହିଁ ୬୩ ବର୍ଷୀୟ ତେଜପାଲ୍ ଆଜି ଆତ୍ମସମର୍ପଣ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ ନଭେମ୍ବର ମାସରେ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲ ଲିଫ୍ଟ ଭିତରେ ଜଣେ ସହକର୍ମୀ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ତେଜପାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଥିଲା। ୨୦୨୧ ମେ’ ମାସରେ ମାପୁସା ଜିଲ୍ଲା ଓ ଦୌରା ଅଦାଲତ ପ୍ରମାଣ ଅଭାବ ଦର୍ଶାଇ ତାଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ଗୋଆ ସରକାର ଏହି ରାୟକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ତଳ କୋର୍ଟଙ୍କ ନିଷ୍ପତ୍ତିକୁ ରଦ୍ଦ କରିବା ସହ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ।


