ଭୁବନେଶ୍ବର: ଟ୍ୱିନ୍ ସିଟି (କଟକ ଓ ଭୁବନେଶ୍ୱର) ଅଞ୍ଚଳରେ ନଦୀକୁ ଡେଇଁ ଆତ୍ମହତ୍ୟା କରିବା ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ ରୁ ୨୦୨୬ ମସିହା ମଧ୍ୟରେ କେବଳ ଟ୍ୱିନ୍ ସିଟିରେ ନଦୀକୁ ଡେଇଁ ୫୫ ଜଣ ପ୍ରାଣ ହରାଇସାରିଛନ୍ତି, ଯାହା ଅଗ୍ନିଶମ ବିଭାଗ ଓ ପୁଲିସ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି। କଟକ ଅଗ୍ନିଶମ ଅଧୀନରେ ୧୨ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମାତ୍ର ୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଭୁବନେଶ୍ୱର ସର୍କଲରେ ୫୧ ଜଣ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୫ ବର୍ଷରେ ୧୫୧ ରୁ ଅଧିକ ଲୋକ ନଦୀ, ନାଳ ଓ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଥିମଧ୍ୟରୁ ୧୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୩୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିଛି।
ଗତ ସେପ୍ଟେମ୍ବର ୧ ତାରିଖରେ ଶିଖରପୁର ବ୍ରିଜ୍ ଉପରୁ ନଦୀକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ସେହିପରି ଅଗଷ୍ଟ ୨୭ ତାରିଖରେ ସ୍ମରଜିତ ବାରିକ ନାମକ ଜଣେ ଯୁବକ ବିରୂପା ନଦୀକୁ ଡେଇଁ ପ୍ରାଣ ହରାଇଥିଲେ। କଟକର ଯୋବ୍ରା, ପୁରୀଘାଟ, ମଙ୍ଗଳାବାଗ, ତାଳଦଣ୍ଡା କେନାଲ, ଖାନ୍ନଗର ସମେତ ଟାଙ୍ଗି, ଚୌଦ୍ଵାର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏଭଳି ମାମଲା ଅଧିକ ସାମ୍ନାକୁ ଆସୁଛି। ବିଶେଷଜ୍ଞଙ୍କ ଅନୁସାରେ ପାରିବାରିକ ଅଶାନ୍ତି, ପ୍ରେମ ସମ୍ପର୍କରେ ଫାଟ ଓ ପ୍ରତାରଣା ଯୋଗୁଁ ଲୋକେ ଏଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ତେବେ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ଏହି ପ୍ରବୃତ୍ତିକୁ ରୋକିବା ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।


