ସୁନ୍ଦରଗଡ଼: ଗୋଟିଏ ଦୁର୍ଘଟଣା ଛଡ଼ାଇଦେଲା ତିନିଟି ଜୀବନର ଦୁଃଖଦ ଅନ୍ତ। ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ପେଟ୍ରୋଲ ପମ୍ପ ସମ୍ମୁଖରେ ଗୁରୁବାର ରାତି ପ୍ରାୟ ୮ଟାରେ ଘଟିଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ବାପ, ପୁଅ ଓ ସମ୍ପର୍କୀୟ ନାତିଙ୍କ ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ବୋଲେରୋ ଏକ ବାଇକକୁ ଧକ୍କା ଦେବା ପରେ ତିନିଜଣଙ୍କୁ ଘୋଷାଡ଼ି ନେଇ ନାଳରେ ଖସି ପଡ଼ିଥିଲା।
ଦୁର୍ଘଟଣାରେ ଗୁରୁତର ଆହତ ତିନିଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା।
ମୃତକମାନେ ହେଲେ କିଞ୍ଜିରକେଲା ଥାନା ଅନ୍ତର୍ଗତ କୁକୁରିଡିହି ଗ୍ରାମର ଲିଙ୍ଗେଶ୍ୱର ଲାରଙ୍ଗ (୬୦) ଓ ତାଙ୍କ ଏକମାତ୍ର ପୁଅ ସମୀର ଲାରଙ୍ଗ (୨୮)। ତୃତୀୟ ମୃତକ ହେଉଛନ୍ତି ଲିଙ୍ଗେଶ୍ୱରଙ୍କ ସମ୍ପର୍କୀୟ ନାତି, ଯିଏ ବନ୍ଧବାହାଲ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତିନିଜଣ ଏକ ବଜାଜ ପଲସର୍ ବାଇକରେ ସବଡେଗା-ବାଲିଶଙ୍କରା ମୁଖ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପକୁ ଯାଇଥିଲେ। ପେଟ୍ରୋଲ ଭରି ରାସ୍ତା ଉପରକୁ ଆସୁଥିବା ସମୟରେ ବାଲିଶଙ୍କରା ପଟୁ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କ ବାଇକକୁ ଜୋରଦାର ଧକ୍କା ଦେଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନା ପଠାଇଥିଲେ। ତଳସରା ପୁଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।


