ନୂଆଦିଲ୍ଲୀ: ଭାରତର ‘ପ୍ରୋଜେକ୍ଟ ଚିତା’ ପାଇଁ ପୁଣି ଏକ ଐତିହାସିକ ଓ ଆନନ୍ଦଦାୟକ ଖବର। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଭାରତୀୟ ମାଟିରେ ଜନ୍ମିତ ମାଈ ଚିତା KGP12 ୪ଟି ଶାବକକୁ ଜନ୍ମ ଦେଇଛି। ଏହି ନୂଆ ଅତିଥିଙ୍କ ଆଗମନ ସହ ଦେଶରେ ମୋଟ ଚିତା ସଂଖ୍ୟା ୫୬ ରେ ପହଞ୍ଚିଛି। ଭାରତରେ ଚିତା ବିଲୁପ୍ତ ହେବା ପରେ ଆରମ୍ଭ ହୋଇଥିବା ପୁନଃପ୍ରତିଷ୍ଠା ଅଭିଯାନରେ ଏହା ଏକ ବଡ଼ ସଫଳତା। ଭାରତରେ ଜନ୍ମିତ ଚିତା ନିଜେ ମା’ ହୋଇ ନୂଆ ପିଢ଼ି ସୃଷ୍ଟି କରିବା ଦ୍ୱାରା ଦେଶରେ ଚିତାଙ୍କ ଆତ୍ମନିର୍ଭରଶୀଳ ବଂଶବୃଦ୍ଧି ଲକ୍ଷ୍ୟ ପୂରଣ ଆଡ଼କୁ ଆଉ ଗୋଟିଏ ପାଦ ଆଗେଇଛି। ବିଶେଷ କଥା ହେଉଛି, ‘ପ୍ରୋଜେକ୍ଟ ଚିତା’ ନିଜର ୪ ବର୍ଷ ପୂରଣ କରିବାର ଠିକ୍ ଗୋଟିଏ ଦିନ ପରେ ଏହି ସୁଖଦ ଖବର ସାମ୍ନାକୁ ଆସିଛି।
କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସାମାଜିକ ଗଣମାଧ୍ୟମ ‘X’ ମାଧ୍ୟମରେ କୁନୋ ଓ ପ୍ରୋଜେକ୍ଟ ଚିତା ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି- “ପ୍ରୋଜେକ୍ଟ ଚିତା ପାଇଁ ଏହା ସତରେ ଏକ ଐତିହାସିକ ଓ ଆନନ୍ଦର ମୁହୂର୍ତ୍ତ! ଚାରି ବର୍ଷ ପୂର୍ତ୍ତି ସହ ଚାରିଟି ନୂଆ ଜୀବନର ଆଗମନ ଭାରତରେ ଚିତା ସଂରକ୍ଷଣ ଅଭିଯାନର ଆଶା, ସଫଳତା ଓ ସାମର୍ଥ୍ୟର ପ୍ରତୀକ।”


