ତିଗିରିଆ/କଟକ: ସ୍ୱଚ୍ଛତା ହିଁ ସେବା ଅଭିଯାନ-୨୦୨୬ର ଅଂଶସ୍ୱରୂପ ଭୁବନେଶ୍ୱରସ୍ଥିତ ବ୍ରିକ୍-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ବ୍ରିକ୍-ଆଇଏଲ୍ଏସ୍) ପକ୍ଷରୁ ତିଗିରିଆସ୍ଥିତ ଏହାର ତୃତୀୟ କ୍ୟାମ୍ପସ୍ରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ପଦକ୍ଷେପ ଅଧୀନରେ ବ୍ରିକ୍-ଆଇଏଲ୍ଏସ୍ର ଏକ ଟିମ୍ ତିଗିରିଆର ପୋପରାସ୍ଥିତ ଆଦିବାସୀ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିବା ସହ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଓ ପରିମଳ ଅଭିଯାନ ଚଳାଇଥିଲେ।
ବିଦ୍ୟାଳୟ ପରିସର, ଶୌଚାଳୟ ଆଦି ସଫା କରିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ ଏହି ଟିମ୍। ବିଦ୍ୟାଳୟ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରଖିବାକୁ ସେମାନେ ଉତ୍ସାହିତ କରିଥିଲେ। ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ସ୍ୱଚ୍ଛତା ପ୍ରସାର କରିବା ନଥିଲା, ବରଂ ସ୍ୱଚ୍ଛତା ଓ ପରିମଳର ବୈଜ୍ଞାନିକ ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ମଧ୍ୟ ଥିଲା।
ଏହି କାର୍ଯ୍ୟକ୍ରମ ସମୟରେ, ଅନୁଷ୍ଠାନର ବୈଜ୍ଞାନିକ ଓ କର୍ମଚାରୀମାନେ ଏକ କ୍ୱିଜ୍ ପ୍ରତିଯୋଗିତା ଏବଂ ଆଲୋଚନାଚକ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ, ଯେଉଁଥିରେ ସ୍ୱଚ୍ଛତା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଏକ ସୁସ୍ଥ ପରିବେଶ ପଛରେ ଥିବା ବୈଜ୍ଞାନିକ କାରଣ ଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ସ୍ୱଚ୍ଛତା ଅଭିଯାନର ନେତୃତ୍ୱ ବ୍ରିକ୍-ଆଇଏଲଏସ୍ର ବୈଜ୍ଞାନିକ-ଜି ଡ. ସତୀଶ ଦେବଦାସ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଆଇଏଲ୍ଏସ୍ର ଆଇଓ ଅମିତାଭ ରାଉତରାୟଙ୍କ ସମେତ ପରିତୋଷ ନାଥ, ପ୍ରଦୀପ ସାହୁ, ସୁରେଶ ସିଂହ, ଆଇଏଲ୍ଏସ୍ର ଗବେଷଣା ଛାତ୍ରଛାତ୍ରୀ ଏବଂ ଆଶ୍ରମ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ।
ଏହି ପଦକ୍ଷେପଦ୍ୱାରା ସ୍ୱଚ୍ଛତା କେବଳ ଏକ ନାଗରିକ ଦାୟିତ୍ୱ ନୁହେଁ, ବରଂ ଏକ ସୁସ୍ଥ ଓ ନିରନ୍ତର ସମାଜର ଅତ୍ୟାବଶ୍ୟକତା ବୋଲି ଅନୁଷ୍ଠାନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଥିଲା।


