ଭୁବନେଶ୍ୱର: ପୁଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ। ଡ୍ୟୁଟି ସମୟରେ ରିଲ୍ସ କଲେ ହେବ ଆକ୍ସନ। ଡ୍ୟୁଟିରେ ଥିବା ବେଳେ ମୋବାଇଲ୍ କାଢ଼ି ନିଜ ପାଇଁ ଫଟୋ କିମ୍ବା ଭିଡିଓ ନେଲେ ହେବ କାର୍ଯ୍ୟାନୁଷ୍ଠାନ। ନିକଟ ଅତୀତରେ କିଛି ପୁଲିସ କର୍ମଚାରୀ ସେମାନଙ୍କ ଡ୍ୟୁଟି, ମୁତୟନ, ଏବଂ କାର୍ଯ୍ୟସ୍ଥଳ ସଂପର୍କିତ ଭିଡିଓ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ସାର୍ବଜନୀନ ପ୍ଲାଟଫର୍ମରେ ସେୟାର କରୁଥିବା ଦେଖାଯାଇଛି। କେତେକ କ୍ଷେତ୍ରରେ ଏଭଳି ଭିଡିଓ ଓ ଫଟୋ ଅଜାଣତରେ ସୁରକ୍ଷିତ ପ୍ରତିଷ୍ଠାନଗୁଡ଼ିକର ସମ୍ବେଦନଶୀଳ ତଥ୍ୟ ପ୍ରଘଟ କରିଦେଉଛି। ଯାହା ଭବିଷ୍ୟତରେ ସୁରକ୍ଷା ସଂପର୍କିତ ଚ୍ୟାଲେଞ୍ଜକୁ ବଢ଼ାଇପାରେ। ତା’ସହ ପଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟ, ସର୍ଭିସ୍ କୋଡ୍ ଅଫ୍ କଣ୍ଡକ୍ଟକୁ ଉଲ୍ଲଂଘନ କରୁଛି। ଯେଉଁଥି ପାଇଁ ପୁଲିସ କମିଶନର କଡ଼ା ଚେତାବନୀ ଦେଇଛନ୍ତି।
କମିଶନରେଟ୍ ପୁଲିସ୍ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଲୋକ ଭବନ, ଲୋକସେବା ଭବନ, ଲିଙ୍ଗରାଜ ମନ୍ଦିର, ବିଧାନସଭା, ହାଇକୋର୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ପ୍ରତିଷ୍ଠାନରେ ନିୟୋଜିତ ପୁଲିସ କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ବିନା କୌଣସି ଇଲେକ୍ଟ୍ରୋନିକ୍ ଉପକରଣ ଦ୍ୱାରା ଫଟୋ କି ଭିଡିଓ ଉଠାଇ ପାରିବେ ନାହିଁ। ଡ୍ୟୁଟିରେ ମୁତୟନ ଥିବା ସେଣ୍ଟ୍ରିମାନଙ୍କୁ ମୋବାଇଲ୍ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ନିଷେଧ କରାଯାଉଛି। ଡ୍ୟୁଟି ସମୟରେ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଫଟୋ ଉଠାଇବା କିମ୍ବା ଭିଡିଓ କରିବା ସହ ଅନେକ ଅଧିକାରୀ ନିଜର କର୍ତ୍ତବ୍ୟ ଭୁଲି ଯାଉଥିବା ଦେଖା ଯାଉଛି। ଅନ୍ୟପଟେ ସାଇବର୍ ଅପରାଧୀମାନେ ମଧ୍ୟ ପୁଲିସ କର୍ମଚାରୀଙ୍କ ଏଭଳି ଫଟୋ ଭିଡିଓ ସୋସିଆଲ ମିଡିଆରୁ ସଂଗ୍ରହ କରି ତାର ଅପବ୍ୟବହାର କରୁଥିବା ଜଣାପଡ଼ିଛି। ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଦାୟିତ୍ୱରେ ଥିବା ଇନଚାର୍ଜମାନେ ଏହା ଉପରେ କଡ଼ାକଡ଼ି ନଜର ରଖିବା ସହିତ ଏଭଳି କାର୍ଯ୍ୟ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ୍ ଡିଜି ମଧ୍ୟ ଚେତେଇ ଦେଇଛନ୍ତି, ଡ୍ୟୁଟି ସମୟରେ କୌଣସି ପୁଲିସ୍ କର୍ମଚାରୀ ରିଲ୍ସ କରୁଥିବା ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।


