ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଘୋଷରାମାଳ ଗ୍ରାମ ନିକଟ ଜଙ୍ଗଲରେ ସୋମବାର ଦିନ ଜଙ୍ଗଲି ଭାଲୁ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ହେଲେ ଘୋଷରାମାଳ ଗ୍ରାମର ସୌରଭ ପ୍ରଧାନ(୧୪), ସରଧା ରାଉଳ (୫୮)। ଘୋଷରାମାଳ ଗ୍ରାମ ବାସିନ୍ଦା ସରଧା ରାଉଳ ନିଜ ଚାଷ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ହଠାତ୍ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିଲା। ଏଥିରେ ଉପସ୍ଥିତ ବୁଦ୍ଧି ଖଟାଇ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ। ତା ପରେ ଛାତ୍ର ସୌରଭ ଘର ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ଭାଲୁ ଆକ୍ରମଣ କରିଥିଲା। ନିକଟରେ ଛାତ୍ରର ମାମୁଁ ରହିଥିବାରୁ ଏଥିରୁ ବର୍ତ୍ତି ଯାଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ। ସେପଟେ ବନବିଭାଗ ତଦନ୍ତ ଆରମ୍ଭ କରି ଏକୁଟିଆ ଜଙ୍ଗଲକୁ ନ ଯିବାକୁ ଗ୍ରାମବାସୀ ମାନଙ୍କୁ ସତର୍କ କରାଇଛନ୍ତି।


