ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଉପାନ୍ତ ତଡ଼ମା ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁଁ ଗାଁ କଡ଼ରେ ଥିବା ପାହାଡ଼ିଆ ନଦୀର ଜଳସ୍ତର ବୃଦ୍ଧି ପାଇ ଗାଁଟି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଏହି ସମୟରେ ଗାଁର ଆରତୀ ଗୌଡ଼ ନାମ୍ନୀ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେଇଥିଲେ।
ଖବର ପାଇ ଭଞ୍ଜନଗର ବିଡିଓ, ସିଡିପିଓ, ଭଞ୍ଜନଗର ଓ ବେଲଗୁଣ୍ଠା ଦମକଳ ବାହିନୀ ଗାଁ ମୁଣ୍ଡରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦମକଳ ବୋଟଟି ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ, ବୋଟ୍ରେ ଥିବା ଦମକଳ କର୍ମଚାରୀମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି, କିନ୍ତୁ ପ୍ରଶାସନିକ ଟିମ୍ ଗାଁରେ ପହଞ୍ଚି ପାରିନଥିଲେ।
ଅନ୍ୟପଟେ, ସହାୟତା ନପାଇ ଗାଁରେ ହିଁ ଯନ୍ତ୍ରଣାରେ ଛଟପଟ ହୋଇ ଆରତୀ ବହୁ କଷ୍ଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଯାତାୟାତ ସମ୍ଭବ ହୋଇ ନପାରିବାରୁ ନବଜାତ ଶିଶୁ ଓ ମା’ ନଦୀ ଆରପାରିରେ ଭଗବାନଙ୍କ ଭରସାରେ ରହିଛନ୍ତି।


