ମାଲକାନଗିରି: ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ମାଥିଲି ବ୍ଲକ୍ରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ଶନିବାର ସକାଳୁ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ମୋଟ ୬ଟି ସ୍ଥାନରେ ଭିଜିଲାନ୍ସର ଏକାଧିକ ଟିମ୍ ତଲାସୀ ଚଳାଇଛନ୍ତି।
ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ୍ ବଳରେ ଏହି ତଲାସୀ ଅଭିଯାନ ଚାଲିଥିବା ଜଣାପଡ଼ିଛି। ଆୟ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରାଯାଇଥିବା ଅଭିଯୋଗର ଯାଞ୍ଚ ପାଇଁ ଏହି ଚଢ଼ାଉ କରାଯାଇଛି।
ଭିଜିଲାନ୍ସର ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର ଓ ମାଲକାନଗିରିର ବିଭିନ୍ନ ସ୍ଥାନରେ ତଲାସୀ କରୁଛି। ଚଢ଼ାଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ବରମୁଣ୍ଡାରେ ଥିବା ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରର ୨ ମହଲା କୋଠା ଏବଂ ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା)ରେ ଥିବା ଏକ ଘର ରହିଛି।
ସେହିପରି ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିରେ ଥିବା ଭଡ଼ାଘର ଏବଂ ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟରେ ଥିବା AEEଙ୍କ ଅଫିସ୍ ଚାମ୍ବରରେ ମଧ୍ୟ ତଲାସୀ ଚାଲିଛି।
ଏହି ଭିଜିଲାନ୍ସ ଚଢ଼ାଉରେ ଜଣେ ଅତିରିକ୍ତ ଏସ୍ପି, ୫ ଜଣ ଡିଏସ୍ପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ସମ୍ପର୍କିତ କାଗଜପତ୍ର ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରୁଛନ୍ତି।
ତଲାସୀ ଅଭିଯାନ ଏପର୍ଯ୍ୟନ୍ତ ଜାରି ରହିଥିବାରୁ କେତେ ପରିମାଣର ସମ୍ପତ୍ତି, ନଗଦ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ କୌଣସି ସବିଶେଷ ତଥ୍ୟ ପ୍ରକାଶ କରାଯାଇନାହିଁ। ତଲାସୀ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଥ୍ୟ ଦିଆଯିବାର ସମ୍ଭାବନା ରହିଛି।


