ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନେଟୱର୍କ ବିରୋଧରେ ସୁରକ୍ଷାବାହିନୀକୁ ମିଳିଛି ବଡ଼ ସଫଳତା। ବୁଡ଼ଗାମ୍ ଜିଲ୍ଲାରେ ଗୁଇନ୍ଦା ସୂଚନା ଆଧାରରେ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ୍ କୋରାଗ’ରେ କୁଖ୍ୟାତ ଲଶ୍କର-ଇ-ତୋଏବା ଶୀର୍ଷ କମାଣ୍ଡର ହାଶିମ୍ ମୂସା ଓରଫ ‘ଫୌଜି ମୂସା’ ସଫଳତାର ସହ ନିପାତ ହୋଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ଖାନସାହିବ ଅଞ୍ଚଳର ପାଲମେଦାନ-ମୁଗପଥରୀ ଜଙ୍ଗଲରେ ଏହି ଗୁଳିବିନିମୟ ଘଟିଥିଲା। ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଓ ସିଆରପିଏଫ୍ର ଯୌଥ ଟିମ୍ ୟୁସମାର୍ଗ ନିକଟସ୍ଥ କୋରାଗ ଅଞ୍ଚଳକୁ ଘେରାଉ କରି ଏହି ମିଳିତ ଅଭିଯାନ ଆରମ୍ଭ କରିଥିଲେ।
ସୁରକ୍ଷାବାହିନୀକୁ ଦେଖି ଲୁଚି ରହିଥିବା ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ଏହାର କଡ଼ା ଜବାବ ଦେଇଥିଲା ସୁରକ୍ଷାବାହିନୀ। ଦୁଇ ପକ୍ଷ ମଧ୍ୟରେ ଚାଲିଥିବା ତୀବ୍ର ଗୁଳିବିନିମୟରେ ଲଶ୍କରର ସକ୍ରିୟ ଓ ଶୀର୍ଷ କମାଣ୍ଡର ମୂସାର ମୃତ୍ୟୁ ଘଟିଛି। ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା ଥିବାରୁ ଅତିରିକ୍ତ ବାହିନୀ ମୁତୟନ କରାଯାଇ ସମଗ୍ର ଜଙ୍ଗଲକୁ ଘେରାବନ୍ଦୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ୍ ଜାରି ରହିଛି। ମୂସାର ନିପାତ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା ଏବଂ ଆତଙ୍କୀ ନେଟୱର୍କ ପାଇଁ ଏକ ଶକ୍ତ ଝଟ୍କା ଭାବେ ବିବେଚନା କରାଯାଉଛି।


