ଭୁବନେଶ୍ବର: ରାଜ୍ୟରେ ଚହଳ ପକାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ମାମଲାରେ ଏକ ବଡ଼ ଅଗ୍ରଗତି ଘଟିଛି। ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବର ଭିତରେ ସରପଞ୍ଚଙ୍କ ସହ ମାରପିଟ୍, ଅଭାବନୀୟ ବ୍ୟବହାର ଏବଂ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗର ତଦନ୍ତ ଭାର ଏବେ ଜାତୀୟ ମାନବାଧିକାର କମିଶନ୍ (ଏନଆରଏଚସି) ହାତକୁ ନେଇଛନ୍ତି।
ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଜାତୀୟ ମାନବାଧିକାର କମିଶନଙ୍କ ଦିଲ୍ଲୀ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ର ମାଧ୍ୟମରେ ଆଗୁଆ ଅବଗତ କରାଯାଇଛି। ମାମଲାର କ୍ଷେତ୍ରସ୍ତରୀୟ ଅନୁସନ୍ଧାନ ପାଇଁ କମିଶନଙ୍କ ଏକ ୩ ଜଣିଆ ବିଶେଷ ଟିମ୍ ଆସନ୍ତା ଅକ୍ଟୋବର ୫ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିବେ।
ଏହି ଗସ୍ତ କାଳରେ ଏନଏଚଆରସି ଟିମ୍ ଘଟଣା ସହ ସମ୍ପୃକ୍ତ ସମସ୍ତ ପ୍ରତ୍ୟକ୍ଷଦର୍ଶୀ ଓ ପକ୍ଷମାନଙ୍କୁ ଭେଟି ବୟାନ ରେକର୍ଡ କରିବେ। ବିଶେଷ କରି ମହାକାଳପଡ଼ା ବିଡିଓ, ବ୍ଲକ୍ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ, ଘଟଣା ସମୟରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ, ମହାକାଳପଡ଼ା ଥାନା ପୋଲିସ, ମାମଲାର ତଦନ୍ତକାରୀ ଅଧିକାରୀ ଏବଂ ମେଡିକାଲ୍ ରିପୋର୍ଟ ପ୍ରସ୍ତୁତ କରିଥିବା ଡାକ୍ତରଙ୍କୁ ଟିମ୍ ପଚରାଉଚୁରା କରିବ। ସରପଞ୍ଚଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ମାନବାଧିକାର ଉଲ୍ଲଂଘନକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏନଏଚଆରସିଙ୍କ ଆସିବା ଖବର ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ମହଲରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।


