ନୂଆଦିଲ୍ଲୀ: ଆୟୋଜକ କମିଟି ସହ ସର୍ତ୍ତ ଅସିଦ୍ଧ ହେବା ପରେ ‘ୱାର୍ଲ୍ଡ ଚାମ୍ପିଅନ୍ଶିପ୍ ଅଫ୍ ଲିଜେଣ୍ଡ୍ସ’ (ଡବ୍ଲ୍ୟୁସିଏଲ୍)ର ତୃତୀୟ ସିଜନ୍ରୁ ଓହରିଯାଇଛି ପାକିସ୍ତାନ ଚାମ୍ପିଅନ୍ସ। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ନିଜ ଖେଳାଳିଙ୍କୁ ଅନାପତ୍ତି ପ୍ରମାଣପତ୍ର (ଏନଓସି) ପ୍ରଦାନ କରିବା ପାଇଁ କେତେକ କଠୋର ସର୍ତ୍ତ ରଖିଥିଲା। ଏଥିରେ ଗତବର୍ଷର ବିବାଦକୁ ନେଇ ଭାରତୀୟ ଖେଳାଳିଙ୍କ ଠାରୁ ଲିଖିତ କ୍ଷମାପ୍ରାର୍ଥନା ଏବଂ ମ୍ୟାଚ୍ ପୂର୍ବରୁ ଦୁଇ ଦଳ ମଧ୍ୟରେ କରମର୍ଦ୍ଦନ (ହ୍ୟାଣ୍ଡ୍ସେକ୍) କରିବାର ବାଧ୍ୟତାମୂଳକ ସହମତି ସାମିଲ ଥିଲା। ତେବେ ଡବ୍ଲ୍ୟୁସିଏଲ୍ ଆୟୋଜକ କମିଟି ପିସିବିର ବ୍ୟବସାୟିକ ସର୍ତ୍ତଗୁଡ଼ିକୁ ଗ୍ରହଣ କରିଥିଲେ ବି, ଲିଖିତ କ୍ଷମାପ୍ରାର୍ଥନା ଓ କରମର୍ଦ୍ଦନ ଦାବିକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାପରେ ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ୍ରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି।
ସୂଚନାଯୋଗ୍ୟ, ଗତ ସିଜନ୍ରେ ପହଲଗାମ ଆତଙ୍କୀ ଆକ୍ରମଣ ପ୍ରତିବାଦରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲା, ଯାହାଫଳରେ ମ୍ୟାଚ୍ଟି ରଦ୍ଦ ହୋଇଥିଲା। ପରବର୍ତ୍ତୀ ସମୟରେ ସେମିଫାଇନାଲ୍ରେ ମଧ୍ୟ ଭାରତ ପଡ଼ିଆକୁ ଓହ୍ଲାଇ ନଥିବାରୁ ପାକିସ୍ତାନକୁ ୱାକ୍ଓଭର୍ ମିଳିଥିଲା ଏବଂ ଦଳ ଫାଇନାଲ୍ରେ ପହଞ୍ଚି ସାଉଥ୍ ଆଫ୍ରିକାଠାରୁ ପରାଜିତ ହୋଇଥିଲା। ସେହି ସମୟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ କୌଣସି ହ୍ୟାଣ୍ଡ୍ସେକ୍ ହୋଇନଥିଲା। ଏହି ଘଟଣାକୁ କେନ୍ଦ୍ର କରି ପିସିବି ଚଳିତ ବର୍ଷ ଏଭଳି ସର୍ତ୍ତ ରଖିଥିବା ଜଣାପଡ଼ିଛି।


