କଟକ: କଟକ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ ଜଣେ ଅଜଣା ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମହିଳାଙ୍କ ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା କରିଥିବା ବେଳେ ତାଙ୍କ ମୁଣ୍ଡର ଚୁଟି ଲଣ୍ଡା କରି ଧାରୁଆ ଅସ୍ତ୍ରରେ କାଟି ଦେଇଥିବା ଜଣାପଡ଼ିଛି। ଘଟଣାକୁ ନେଇ କଟକରେ ଚାଞ୍ଚଲ୍ୟ ଖେଳିଯାଇଛି।
ବୁଧବାର ରାତି ପ୍ରାୟ ୭ଟା ସମୟରେ ସିଟି କଲେଜ ସମ୍ମୁଖ କାଠଯୋଡ଼ି ନଦୀପଠାରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସେମାନେ ବାଦାମବାଡ଼ି ଥାନାକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା।
ମୃତ ମହିଳା ଜଣକ ସାଲୱାର ପଞ୍ଜାବୀ ପିନ୍ଧିଥିବା ବେଳେ ତାଙ୍କ ମୁଣ୍ଡ ନିକଟରେ ଏକ ଇଟା ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ଘଟଣାସ୍ଥଳରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଛି। ମହିଳାଙ୍କ ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଥିବା ପୁଲିସ କହିଛି।
ଘଟଣାସ୍ଥଳରୁ ମୃତଦେହଠାରୁ ପ୍ରାୟ ୧୦ ଫୁଟ ଦୂରରେ ଏକ ରଙ୍ଗିନ ଉଲ୍ କମ୍ବଳ ଏବଂ ପ୍ରାୟ ୨୦ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ମଶିଣା ମିଳିଛି। ମଶିଣା ଉପରେ ରକ୍ତ ଦାଗ ରହିଥିବା ବେଳେ ସେଠାରୁ ଏକ ପଲିଥିନରେ ରଖାଯାଇଥିବା ସିଲଭର କଡ଼େଇ, ଦୁଇଟି ଷ୍ଟିଲ୍ ପ୍ଲେଟ୍, କିଛି ଡିସ୍ପୋଜେବଲ୍ ପ୍ଲେଟ୍ ଓ ଏକ ଧଳା ପ୍ଲାଷ୍ଟିକ ବ୍ୟାଗ୍ ଜବତ କରାଯାଇଛି। ଏହା ସହିତ ମହିଳାଙ୍କ ହଳେ ଚପଲ ମଧ୍ୟ ମିଳିଛି।
ସବୁଠାରୁ ଚାଞ୍ଚଲ୍ୟକର ବିଷୟ ହେଉଛି, ମହିଳାଙ୍କ ମୁଣ୍ଡ ଲଣ୍ଡା କରାଯାଇଥିବା ବେଳେ ତାଙ୍କ କଟା ଚୁଟି ଘଟଣାସ୍ଥଳ ନିକଟରୁ ମିଳିଛି। ଏଥିରୁ ମହିଳାଙ୍କୁ ହତ୍ୟା ପୂର୍ବରୁ କିମ୍ବା ହତ୍ୟା ସମୟରେ ନିର୍ଯାତନା ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।
ଅନ୍ୟପଟେ ମଶିଣା ନିକଟରୁ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନ ପର୍ଯ୍ୟନ୍ତ ବାଲିରେ ଘୋଷରା ଚିହ୍ନ ଦେଖିବାକୁ ମିଳିଛି। ମହିଳାଙ୍କ ପାଦରେ ମଧ୍ୟ ବାଲି ଲାଗିଥିବାରୁ ତାଙ୍କୁ ଘୋଷାଡ଼ି ଅନ୍ୟ ସ୍ଥାନରୁ ଏଠାକୁ ଅଣାଯାଇଥିବା ପୁଲିସ ସନ୍ଦେହ କରୁଛି।
ଖବର ପାଇ ଏସିପି ଅଶୋକ କୁମାର ଗିରି ଓ ବାଦାମବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।
ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ। ହତ୍ୟାକାଣ୍ଡର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳ ନିକଟ ରିଙ୍ଗରୋଡ୍ରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ପୁଲିସ ଯାଞ୍ଚ କରୁଛି। ମହିଳାଙ୍କ ପରିଚୟ ଓ ହତ୍ୟାକାଣ୍ଡ ପଛରେ କିଏ ରହିଛି, ସେନେଇ ତଦନ୍ତ ଜାରି ରହିଛି।


