ତେଲ୍ ଆଭିଭ୍: ଆସନ୍ତା ଅକ୍ଟୋବର ୨୭ ତାରିଖରେ ଇସ୍ରାଏଲ୍ରେ ଗୁରୁତ୍ୱପୂର୍ଣ୍ଣ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଗତ ତିନି ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଗାଜା ଯୁଦ୍ଧ ଏବଂ ହମାସ୍ର ଭୟଙ୍କର ଆକ୍ରମଣ ଦେଶର ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି। ପୂର୍ବରୁ ଆର୍ଥିକ ମୁଦ୍ରାସ୍ଫୀତି ଓ ଘର ଭଡ଼ା ଭଳି ସାଧାରଣ ସମସ୍ୟା ନିର୍ବାଚନୀ ପ୍ରସଙ୍ଗ ହେଉଥିବା ବେଳେ, ଏବେ ଦେଶର ଜାତୀୟ ସୁରକ୍ଷା, ସେନାର ସାମର୍ଥ୍ୟ ଏବଂ ସୁରକ୍ଷାଗତ ବିଫଳତାକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଜନସାଧାରଣଙ୍କ କଠୋର ପ୍ରଶ୍ନର ସାମ୍ନା କରିବାକୁ ପଡ଼ୁଛି।
ନିର୍ବାଚନୀ ସର୍ଭେ ଅନୁଯାୟୀ, ନେତାନ୍ୟାହୁଙ୍କୁ ଇସ୍ରାଏଲ୍ର ପୂର୍ବତନ ସେନା ମୁଖ୍ୟ ଗାଦି ଆଇଜେନକୋଟ୍ଙ୍କ ଠାରୁ ଶକ୍ତ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। ସର୍ଭେ ଫଳାଫଳ ଅନୁସାରେ ନେତାନ୍ୟାହୁଙ୍କ ‘ଲିକୁଡ୍ ପାର୍ଟି’କୁ ୨୨-୨୩ଟି ଆସନ ମିଳୁଥିବା ବେଳେ ଆଇଜେନକୋଟ୍ଙ୍କ ଦଳ ପ୍ରାୟ ୨୨ଟି ଆସନ ଜିତି କଡ଼ା ଟକ୍କର ଦେଉଛି। ଇସ୍ରାଏଲ୍ରେ ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ ହେଉଥିବା ସ୍ଥଳେ ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ମାତ୍ର ୫୨-୫୫ଟି ଆସନ ପାଇ ବହୁମତଠାରୁ ବେଶ୍ ପଛରେ ରହିଛି। ଅପରପକ୍ଷରେ, ଆରବ ଦଳଗୁଡ଼ିକ ୧୩ଟି ଆସନ ପାଇବାର ସମ୍ଭାବନା ଥିଲେ ବି ଇହୁଦୀ ଭୋଟରଙ୍କ ଆକ୍ରୋଶ ଭୟରେ ସେମାନଙ୍କ ସହ ମେଣ୍ଟ କରିବା ନେତାନ୍ୟାହୁଙ୍କ ପାଇଁ ଜଟିଳ ହୋଇପଡ଼ିଛି।
ହମାସ ଆକ୍ରମଣ ସମୟରେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଥିବାରୁ ଏହି ସୁରକ୍ଷା ବିଫଳତାର ଜବାବଦିହି ପାଇଁ ଜନସାଧାରଣ ତାଙ୍କୁ ଉତ୍ତର ମାଗୁଛନ୍ତି। ଫଳରେ ୱେଷ୍ଟ ବ୍ୟାଙ୍କରେ ଇହୁଦୀ ବସତିସ୍ଥାପନ ଓ ପାଲେଷ୍ଟାଇନୀୟଙ୍କ ପ୍ରତି କଠୋର ନୀତି ପରି ପ୍ରସଙ୍ଗ ଏବେ ନିର୍ବାଚନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।


