ନୂଆଦିଲ୍ଲୀ:ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc)ର ପ୍ରଫେସର, ବିଶିଷ୍ଟ ଭାରତୀୟ ଗଣିତଜ୍ଞ ମହେଶ କାକ୍ଡେଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ “ରାମାନୁଜନ୍” ପୁରସ୍କାରରେ ସମ୍ମାନିତ କରାଯାଇଛି। ବିକାଶଶୀଳ ଦେଶଗୁଡ଼ିକର ୪୫ ବର୍ଷରୁ କମ୍ ବୟସ୍କ ଯୁବ ଗଣିତଜ୍ଞ ବର୍ଗରେ ସଂଖ୍ୟା ତତ୍ତ୍ୱ ଏବଂ ବିଶେଷକରି ବୀଜଗାଣିତିକ ସଂଖ୍ୟା ତତ୍ତ୍ୱ କ୍ଷେତ୍ରରେ ମୌଳିକ ଗବେଷଣା ପାଇଁ ତାଙ୍କୁ ଏହି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସଂଖ୍ୟାଗୁଡ଼ିକର ଆଚରଣ ଏବଂ ଗାଣିତିକ ଗଠନର ସମ୍ପର୍କକୁ ନେଇ ଜଟିଳ ସମସ୍ୟାର ସମାଧାନ କରିବାରେ ତାଙ୍କର ଗବେଷଣା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଓରେଟିକାଲ ଫିଜିକ୍ସ ଓ ଇଣ୍ଟିରନ୍ୟାଶନାଲ ମାଥମେଟିକାଲ ୟୁନିୟନ ପକ୍ଷରୁ ଏହି ପୁରସ୍କାରକୁ ମିଳିତ ଭାବେ ଦିଆଯାଏ। ବିକାଶଶୀଳ ରାଷ୍ଟ୍ରରେ କାମ କରିବା ସମୟରେ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଗଣତିଜ୍ଞଙ୍କୁ ଏହି ସମ୍ମାନ ମିଳେ। ଯେଉଁ ଗଣତିଜ୍ଞମାନଙ୍କ ବୟସ ୪୫ ବର୍ଷରୁ କମ୍ ସେମାନଙ୍କ ନାଁକୁ ପୁରସ୍କାର ପାଇଁ ବିଚାରକୁ ନିଆଯାଇଥାଏ। ମହେଶ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନଷ୍ଟିଚ୍ୟୁଟ୍ରୁ ଗଣିତରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟକୁ ଯାଇ ସେଠାରୁ ୨୦୦୮ ମସିହାରେ ସଂପୂର୍ଣ୍ଣ ଗଣିତରେ ମାଷ୍ଟର୍ସ ଓ ପିଏଚ୍ଡି ଶେଷ କରିଥିଲେ। ଏହାପରେ ସେ ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି କଲେଜ୍ ଲଣ୍ଡନ୍ ଓ କିଙ୍ଗ୍ସ କଲେଜ୍ ଲଣ୍ଡନ୍ରେ କାର୍ଯ୍ୟ କରିଥିଲେ। ୨୦୧୯ରେ ସେ ଆଇଆଇଏମ୍ସିରେ ପ୍ରଫେସର ଭାବେ ଯୋଗ ଦେଇଥିଲେ।


