ରେଢ଼ାଖୋଲ (କନ୍ଦର୍ପ ବେହେରା): ଜନ୍ତୁ ଶିକାର ପାଇଁ ତାର ବିଛାଇବା ଅଭିଯୋଗରେ କିସିଣ୍ଡା ବନ ବିଭାଗ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବନ ବିଭାଗ ପ୍ରକାଶ କରିଛି। କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ କିସିଣ୍ଡାର ବନବିଭାଗର କର୍ମଚାରୀମାନେ କିସିଣ୍ଡା PRF ମଧ୍ୟରେ ପାଟ୍ରୋଲିଂ କରୁଥିବା ବେଳେ ଖନ୍ଦିବାହାଳ ଗ୍ରାମ ନିକଟରେ ରାଜେନ୍ଦ୍ର ପ୍ରସାଦ ସାହୁ ତାଙ୍କ ଜମିରେ ଏଲଆଈ ପଏଣ୍ଟରୁ ବେଆଇନ ବିଦ୍ୟୁତ ତାର ଲଗାଇ ଜନ୍ତୁ ଶିକାର କରିବାକୁ ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ବନ କର୍ମଚାରୀମାନେ ସେଠାରେ ସକାଳ ପର୍ଯ୍ୟନ୍ତ ଛକି ରହିଥିଲେ।
ଭୋରରୁ ରାଜେନ୍ଦ୍ର ପ୍ରସାଦ ସାହୁ ଜନ୍ତୁ ପଡିଛି କି ନାହିଁ ଦେଖିବାକୁ ଆସିବାରୁ ଜଗିରହିଥିବା ବନ କର୍ମଚାରୀମାନେ ତାଙ୍କୁ କାବୁ କରିନେଇଥିଲେ। ଘଟଣା ସ୍ଥଳକୁ ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଧରି ତଦନ୍ତ କରିଥିଲେ। ଶିକାର ପାଇଁ ବ୍ୟବହୃତ ଏକ କିଗ୍ରା ୩୭୫ ଗ୍ରାମ ବିଦ୍ୟୁତ ତାର ଏବଂ ଶୁଖା କାଠି ୧୯ ଗୋଟିକୁ ବନ କର୍ମଚାରୀ ମାନେ ଜବତ କରିଥିଲେ। ଏବଂ ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଗିରଫ କରିଥିଲେ।
ବିଦ୍ୟୁତ ତାର ଲଗାଇ ଜନ୍ତୁ ଶିକାର କରିବା ବନ୍ୟ ପ୍ରାଣୀ ଆଇନ ଅନୁଯାୟୀ ଏକ ଧର୍ତ୍ତଵ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତ ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ଓଡିଶା ବନ୍ୟପ୍ରାଣୀ ଆଇନ ୧୯୭୨ ଅନୁଯାୟୀ ଗିରଫ କରି ଡାକ୍ତରୀ ପରୀକ୍ଷା ପରେ ରେଢ଼ାଖୋଲ ସ୍ଥିତ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏହି ଧରପଗଡରେ ପଦ୍ମଲୋଚନ ବଡଗୁଛିଆ, ବନପାଳ ଖଳାଶୁଣୀ, ଭାଗିରଥି ମହାନନ୍ଦ, ବନରକ୍ଷୀ ଭାଲୁଖୋଳ, ଅଶୋକ କିସାନ, ବନରକ୍ଷୀ କଞ୍ଚନପୁର ଏବଂ ସ୍କ୍ୱାଡ଼ ପ୍ରମୁଖ ସାମିଲ ହୋଇଥିଲେ।


