ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପିପିଲି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ନିର୍ବାଚନୀ ପ୍ରଚାର ସାରିବା ପରେ ଆମିଷ ଭୋଜିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ ବଚସା ଓ ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ଭୁବନେଶ୍ୱର ବିଜେବି କଲେଜର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରଥମେ ତାଙ୍କୁ ପିପିଲି ହସ୍ପିଟାଲରେ ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ସଂକ୍ରାନ୍ତରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।
ସୂଚନା ଅନୁଯାୟୀ, ବିଜେବି କଲେଜର ସଭାପତି ପ୍ରାର୍ଥୀ ଆର୍ଯ୍ୟନ ମହାପାତ୍ର ନିଜର ସମର୍ଥକଙ୍କ ସହ ପିପିଲି ଅଞ୍ଚଳରେ ନିର୍ବାଚନୀ ପ୍ରଚାର ଚଳାଇଥିଲେ। ପ୍ରଚାର କାର୍ଯ୍ୟ ଶେଷ ହେବା ପରେ ସେ ପନ୍ଦରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହିତ ନିକଟସ୍ଥ ଏକ ପଡ଼ିଆରେ ଭୋଜି କରୁଥିବା ସମୟରେ ଏହି ବିବାଦର ସୂତ୍ରପାତ ହୋଇଥିଲା। ଅଭିଯୋଗ ମୁତାବକ, ପିପିଲିରେ ରହି ବିଜେବି କଲେଜରେ ପଢ଼ୁଥିବା ଜଣେ ଛାତ୍ରଙ୍କ ସମେତ ଅନ୍ୟ ପାଞ୍ଚରୁ ଛଅ ଜଣ ବ୍ୟକ୍ତି ସେଠାରେ ପହଞ୍ଚି ନିକଟସ୍ଥ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣ ନିକଟରେ ଆମିଷ ଭୋଜି କରିବାକୁ ଦୃଢ଼ ବିରୋଧ କରିଥିଲେ।
ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଏବଂ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ହାତାହାତିରେ ପରିଣତ ହୋଇଥିଲା। ଏହି ମାର୍ଟପିଟ୍ରେ ଆର୍ଯ୍ୟନଙ୍କ ମୁଣ୍ଡରେ ଗଭୀର ଆଘାତ ବାଜିଥିଲା। ଘଟଣା ସମ୍ପର୍କରେ ଆର୍ଯ୍ୟନ ମହାପାତ୍ର ପିପିଲି ଥାନାରେ ଏକ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଏନେଇ ଥାନା କେସ୍ ନମ୍ବର ୬୩୨/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଏବଂ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତନାଘନା କରାଯାଉଛି। ଛାତ୍ର ସଂସଦ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବାବେଳେ ଜଣେ ସଭାପତି ପ୍ରାର୍ଥୀ ଆହତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଏକ ପ୍ରମୁଖ ବିଷୟ ପାଲଟିଛି।


