ସମୀକ୍ଷା ବ୍ୟୁରୋ
ପୁରୀ ଶ୍ରୀମନ୍ଦିର କୁ ଘେରି ରହିଥିବା ମଠ ଉଚ୍ଛେଦ ପ୍ରକ୍ରିୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏହି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଧର୍ମ ନିରପେକ୍ଷ ବ୍ୟବସ୍ଥାରେ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଏକ ଧାର୍ମିକ ଅନୁଷ୍ଠାନର ପରିଚାଳନା ଠିକ ନୁହଁ। ଶ୍ରୀମନ୍ଦିର ପୂର୍ଣ୍ଣ ଧାର୍ମିକ ବିଧି ବ୍ୟବସ୍ଥାରେ ପରିଚାଳିତ ହେବା ଉଚିତ। ଦେବତ୍ତୋର ଆଇନ ଅଧୀନରେ ସବୁ ମଠ ରହିଛି । ସେହି ଦୃଷ୍ଟିରୁ ମଠର ପରିଚାଳନା ସ୍ବତନ୍ତ୍ର ଭାବେ ହେବା ଉଚିତ । ମଠଗୁଡ଼ିକ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ଗୁରୁତର ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ବିପି ଦାସ କମିଶନଙ୍କ ଉପରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ।ବିପି ଦାସ କମିଶନ ମଠ ଓ ମନ୍ଦିର ଭାଙ୍ଗିବା ପାଇଁ ସୁପାରିଶ କଲାବେଳେ ଏହାର ଇତିହାସ ଓ ଆଧ୍ୟାତ୍ମିକ ପରମ୍ପରା ପ୍ରତି ବିଲକୁଲ ଧ୍ୟାନ ଦେଇନାହାନ୍ତି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀଙ୍କ ପଦକ୍ଷେପ ମଧ୍ୟ ସନ୍ଦେହ ଘେରରେ ବୋଲି ସେ କହିଛନ୍ତି। ସମ୍ପ୍ରତି ପୁରୀର ଅନ୍ୟତମ ପ୍ରାଚୀନ ଓ ପ୍ରଭାବଶାଳୀ ମଠକୁ ପୁରୀ ଜିଲ୍ଲା ପ୍ରଶାସନ ମାଟିରେ ମିଶାଇ ଦେଇଛନ୍ତି। ଆଲୋଚନା ମୁତାବକ କେବଳ ମଠର ବିପଦ ସଙ୍କୁଳ କୋଠା ଓ ଅନ୍ୟାନ୍ୟ ଅବ୍ୟବହୃତ ଅଂଶକୁ ଭଙ୍ଗା ଯିବ ବୋଲି କୁହାଯାଇଥିଲା, ହେଲେ ଉଚ୍ଛେଦ ବେଳେ ପୁରୀର ସର୍ବ ପ୍ରାଚୀନ ଲାଇବ୍ରେରୀ ରଘୁନନ୍ଦନ ପାଠାଗାରକୁ ଭାଙ୍ଗି ଦିଆ ଯାଇଛି ବୋଲି ଏମାର ମଠର ମହାନ୍ତ କହିଛନ୍ତି।
ଶ୍ରୀମନ୍ଦିରର ସୁରକ୍ଷା ଆଳରେ ରାଜ୍ୟର ସର୍ବ ପୁରାତନ ମଠ ଓ ଲାଇବ୍ରେରୀ ଭାଙ୍ଗିବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାପା ଅସନ୍ତୋଷ ଦେଖା ଦେଇଛି। ଆରମ୍ଭରୁ ଏହି ପ୍ରସଙ୍ଗରେ ଗଜପତି ଓ ଶଙ୍କାରାଚାର୍ୟ ନୀରବତା ଅବଲମ୍ବନ କରିଥିବା ବେଳେ, ଏବେ ଉଚ୍ଛେଦ ପ୍ରକ୍ରିୟା ସଋ ଆସିଲା ବେଳକୁ ଶଙ୍କାରାଚାର୍ୟଙ୍କ ପ୍ରତିକ୍ରିୟାର ବିଶେଷ କିଛି ପ୍ରଭାବ ପଡିବା ଭଳି ଲାଗୁନାହିଁ।
ଶଙ୍କାରାଚାର୍ୟ ନିଜର ଗୋବର୍ଦ୍ଧନ ପୀଠର ଜମି ଜବରଦଖଲକାରୀଙ୍କ କବ୍ଜାରେ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ଦେବୋତ୍ତର ବିଭାଗ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସେହିପରି ମଠ ସଂସ୍କୃତି ନଷ୍ଟ କରାଯାଉଛି। ଧର୍ମୀୟ ପରମ୍ପରାକୁ ନଷ୍ଟ କରି ବିକାଶ ସମ୍ଭବ ନୁହେଁ ବୋଲି କହିବା ସହିତ ଓଡ଼ିଶାର ପରମ୍ପରାକୁ ରକ୍ଷା ପାଇଁ ଲୋକେ ସଚେତନ ହୁଅନ୍ତୁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।ଶ୍ରୀମନ୍ଦିର ଚାରି ପଟେ ରହିଥିବା ଅନେକ ମଠ ଓ ଛୋଟ ଛୋଟ ପୀଠ ଦେଉଳକୁ ଇତିମଧ୍ୟରେ ଭାଙ୍ଗି ଦିଆ ଯାଇଛି। ରାଜ୍ୟ ସରକାର ୫୦୦ କୋଟି ତାଙ୍କ ବିନିଯୋଗରେ ଶ୍ରୀମନ୍ଦିରର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।
ମଠ, ମନ୍ଦିର ଓ ଲାଇବ୍ରେରୀ ଭାଙ୍ଗି ମନ୍ଦିରର ସୁରକ୍ଷା ପ୍ରସଙ୍ଗକୁ ନେଇ ଏବେ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି। ମନ୍ଦିର ଚାରି କଡରେ ଥିବା ମୂଲ୍ୟବାନ ଜମିକୁ ସୌନ୍ଦର୍ୟକରଣ ଓ ସୁରକ୍ଷା ଆଳରେ ଶିଲ୍ପପତି ତଥା ଜମି ଦଲାଲଙ୍କ ହାତକୁ ଟେକି ଦେବାର ଏକ ଭିତିରି ଷଡଯନ୍ତ୍ର ଏହା ପଛରେ ରହିଥାଇ ପାରେ ବୋଲି ପୁରୀର ଜଣେ ଗବେଷକ ଆଶଙ୍କା ପ୍ରକାଶ କରିଛନ୍ତି।