ଭୁବନେଶ୍ବର : ବଳ ଗୋଟାଉଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ଅଧିକ ଘନୀଭୂତ ହୋଇ ଏହା ଆଜି ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଏହି ଗଭୀର ଅବପାତ ଧୀରେ ଧୀରେ ଶକ୍ତିଶାଳୀ ହେଉଛି। ଏହା ଘଣ୍ଟାପ୍ରତି ପ୍ରାୟ ୬ କିମି ବେଗରେ ଗତି କରୁଛି।
ଆକଳନ ଅନୁଯାୟୀ, ଏହି ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ୨୮ ତାରିଖ ସକାଳ ସୁଦ୍ଧା ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିପାରେ। ପୂର୍ବାହ୍ଣ ସୁଦ୍ଧା ଏହା ବାପତଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବାର ଆକଳନ କରାଯାଇଛି। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିମି ରହିପାରେ। ଏହାସହ ପବନର ଝଟକା ଘଣ୍ଟାପ୍ରତି ୧୪୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ତେଣୁ ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଛି।


