ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବନ୍ୟା ଜଳର ପ୍ରବଳ ସ୍ରୋତରେ ବିରଳ କୃଷ୍ଣସାର ମୃଗ ଭାସିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହାକୁ ନେଇ ବନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ବନ୍ୟା ପାଣିରେ କେତେକ କୃଷ୍ଣସାର ମୃଗ ଭାସିଯାଇଥିଲେ ବି ସେମାନେ ସୁରକ୍ଷିତ ଭାବେ ନଦୀ ପାର ହୋଇ ଜଙ୍ଗଲରେ ପହଞ୍ଚିସାରିଛନ୍ତି।
ସମ୍ପୃକ୍ତ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ବି କୃଷ୍ଣସାର ମୃଗଙ୍କର ମୃତ୍ୟୁ ଘଟିନାହିଁ। ବନ ବିଭାଗର ପ୍ରତ୍ୟକ୍ଷ ନଜର ଓ ଅନୁଧ୍ୟାନ ପରେ ସମସ୍ତ କୃଷ୍ଣସାର ମୃଗ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଆଧିକାରିକ ଭାବେ ନିଶ୍ଚିତ କରାଯାଇଛି।
ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହୋଇଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତା ବୃଦ୍ଧି ପାଇଥିଲା। ବିଶେଷ କରି ଗଞ୍ଜାମ ଅଞ୍ଚଳରେ ବହୁସଂଖ୍ୟାରେ ବାସ କରୁଥିବା ଏହି ବିରଳ ପ୍ରଜାତିର କୃଷ୍ଣସାର ମୃଗଙ୍କ ସୁରକ୍ଷାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ବନ ବିଭାଗର କର୍ମଚାରୀମାନେ ନିରନ୍ତର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ପ୍ରକୃତିର କୋପରୁ ମୃଗମାନେ ନିଜକୁ ରକ୍ଷା କରି ନିରାପଦ ସ୍ଥାନକୁ ଚାଲିଯାଇଥିବା ସ୍ପଷ୍ଟ ହୋଇଛି।


