ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ପରେ ରାଜ୍ୟର ନଦୀଗୁଡ଼ିକର ଜଳସ୍ଥିତି ଏବଂ ବନ୍ୟା ସୁରକ୍ଷା ଭିତ୍ତିଭୂମିର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ତତ୍ପରତା ପ୍ରକାଶ ପାଇଛି। ଏହି କ୍ରମରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ଋଷିକୁଲ୍ୟା ନଦୀର ଗେଜ୍ କେନ୍ଦ୍ର ପରିଦର୍ଶନ କରି ବନ୍ୟା ସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି। ବାତ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତିର ଆକଳନ ସହ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ପରିଦର୍ଶନ ସମୟରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୫.୮୩୫ ମିଟର ରେକର୍ଡ କରାଯାଇଥିଲା, ଯାହାକି ନିର୍ଦ୍ଧାରିତ ଚେତାବନୀ ସ୍ତରଠାରୁ ସାମାନ୍ୟ ନିମ୍ନରେ ରହିଥିବା ଜଣାପଡ଼ିଥିଲା। ଏହାପରେ ପ୍ରମୁଖ ଶାସନ ସଚିବଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ ଟିମ୍ ହନୁମାନପାଲି ନିକଟସ୍ଥ ହିରାଧରାବତୀ ଆନିକଟଠାରେ ପହଞ୍ଚି ଋଷିକୁଲ୍ୟା ବନ୍ୟା ସୁରକ୍ଷା ବନ୍ଧର ଧୋଇଯାଇଥିବା ଭଗ୍ନାଂଶ ଏବଂ ମୁଖ୍ୟ କେନାଲର ଆଦ୍ୟଭାଗ ପରିଦର୍ଶନ କରିଥିଲେ। ବାତ୍ୟା ସମୟରେ ପ୍ରବଳ ଜଳପ୍ରବାହ ଯୋଗୁଁ ହୋଇଥିବା କ୍ଷତିକୁ ସେମାନେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିଲେ। ଏହା ସହିତ ହିରାଧରାଭାଟି ଆନିକଟ୍, ଜାନହିବିଲି ଆନିକଟ୍, ମୁଖ୍ୟ କେନାଲ ଏବଂ ସ୍ଥାନୀୟ ପାନୀୟ ଜଳ ଉତ୍ତୋଳନ କେନ୍ଦ୍ରଗୁଡ଼ିକୁ ବୁଲି ଦେଖି ସ୍ଥିତି ପରଖିଥିଲେ।
କ୍ଷେତ୍ର ପରିଦର୍ଶନ ଅବସରରେ ପ୍ରମୁଖ ଶାସନ ସଚିବ ସ୍ଥାନୀୟ ଗ୍ରାମବାସୀ ଏବଂ ବନ୍ୟାପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କର ସୁବିଧା-ଅସୁବିଧା ଏବଂ ସ୍ଥାନୀୟ ଭିତ୍ତିଭୂମିର କ୍ଷତିଗ୍ରସ୍ତ ଅବସ୍ଥା ସମ୍ପର୍କରେ ଲୋକଙ୍କଠାରୁ ମତାମତ ସଂଗ୍ରହ କରିଥିଲେ। ବନ୍ଧର ଭାଙ୍ଗିଯାଇଥିବା ଅଂଶର ସଠିକ୍ ଆକଳନ କରିବା ସହ ଜିଓ-ଟ୍ୟାଗ୍ ଫଟୋଗ୍ରାଫ୍ ସଂଲଗ୍ନ କରି ଏକ ନିର୍ଭୁଲ ତଥ୍ୟଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ କ୍ଷତିଗ୍ରସ୍ତ ବନ୍ଧଗୁଡ଼ିକର ସମୟୋଚିତ ତଥା ସ୍ଥାୟୀ ପୁନରୁଦ୍ଧାର ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡି.ପି.ଆର୍.) ତ୍ୱରିତ ଗତିରେ ପ୍ରସ୍ତୁତ କରିବାକୁ ଏବଂ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବାକୁ ସେ କହିଛନ୍ତି।
ଏହି ଗସ୍ତ ସମୟରେ ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍ ବିଭାଗର ବରିଷ୍ଠ ଅଧିକାରୀ, କ୍ଷେତ୍ରସ୍ତରୀୟ ଯନ୍ତ୍ରୀ ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏପରି କ୍ଷେତ୍ରୀୟ ଅନୁଧ୍ୟାନ ଦ୍ୱାରା କ୍ଷୟକ୍ଷତିର ପ୍ରକୃତ ଚିତ୍ର ସାମ୍ନାକୁ ଆସିବା ସହ ବନ୍ୟା ସୁରକ୍ଷା ଭିତ୍ତିଭୂମିଗୁଡ଼ିକୁ ଶୀଘ୍ର ମରାମତି କରି ପୂର୍ବସ୍ଥିତିକୁ ଫେରାଇଆଣିବାରେ ସଫଳତା ମିଳିବ ବୋଲି ଆଶା କରାଯାଉଛି।


