ଉତ୍ତର ପ୍ରଦେଶରେ ଭୋଟ ହ୍ରାସକୁ ନେଇ ରାଜନୀତି ତେଜ୍। ୧୨.୭ ନିୟୁତ ହିନ୍ଦୁ ଭୋଟ ହଜିଯାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ନେଇ ଏବେ ତାଙ୍କୁ ଘେରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏତେ ସଂଖ୍ୟକ ଭୋଟର ତଥ୍ୟ କେଉଁଠୁ ଆସିଲା ଏବଂ କିଏ ଏହା ଯୋଗାଇଲା, ତାହାର ଜବାବ ମାଗିଛନ୍ତି ସେ। ଏପରିକି ଭୋଟ ହଜିବା ନେଇ ଚିନ୍ତିତ ଯୋଗୀଙ୍କୁ ଦିଲ୍ଲୀର ରାମଲୀଳା ମୈଦାନକୁ ଆସିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।
ଦିଲ୍ଲୀର ରାମଲୀଳା ମୈଦାନରେ ଭୋଟ ଚୋରି ପ୍ରସଙ୍ଗକୁ ନେଇ ଗଣମାଧ୍ୟମ ସହ କଥା ହୋଇ ଅଖିଳେଶ କହିଛନ୍ତି, ଅନ୍ୟାୟ ଏବେ ସୀମା ଟପିଛି। ଯେଉଁମାନେ ଡବଲ ଇଞ୍ଜିନ ସରକାର କଥା କହୁଥିଲେ, ସେମାନେ ଏବେ ଡବଲ ଇଞ୍ଜିନ, ଡବଲ ଶୂନ ଓ ଡବଲ ପରାଜୟ ବିଷୟରେ ଚିନ୍ତା କରନ୍ତୁ। ଏମଏଲସି ନିର୍ବାଚନରେ ପରାଜୟ ପରେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ୧୨.୭ ନିୟୁତ ଭୋଟର କଥା ମନେ ପଡ଼ିଲା କି ବୋଲି ସେ କଟାକ୍ଷ କରିଛନ୍ତି।
ଅଖିଳେଶଙ୍କ ପ୍ରଶ୍ନ, ଏହି ୧୨.୭ ନିୟୁତ ଭୋଟ ହିନ୍ଦୁଙ୍କର ନୁହେଁ ବୋଲି କେଉଁ ଆଧାରରେ କୁହାଯାଉଛି? ଏହି ତଥ୍ୟ କିଏ ଦେଇଛି? ଏହା କୌଣସି ସାଧାରଣ ତଥ୍ୟ ନୁହେଁ ଯେ ରାସ୍ତାରେ ଯାହାକୁ ପଚାରିଲେ ସେ ଦେଇଦେବ। ତେଣୁ ତଥ୍ୟର ଉତ୍ସ ସାର୍ବଜନୀନ କରାଯିବା ଦରକାର ବୋଲି ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, ସରକାରଙ୍କ ଅଭିଯୋଗ ଅନୁସାରେ ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଖରେ ଭୋଟ ନାହିଁ। ତେବେ ଏହାର ଅର୍ଥ କ’ଣ? ସେମାନଙ୍କ ଭୋଟ କେଉଁଠି ଗଲା? ଯଦି ଏତେ ସଂଖ୍ୟକ ଲୋକଙ୍କ ଭୋଟ ନାହିଁ, ତେବେ ସେମାନେ ମଧ୍ୟ ରାମଲୀଳା ମୈଦାନକୁ ଆସିବା ଉଚିତ ବୋଲି ଯୋଗୀଙ୍କୁ ଆହ୍ୱାନ ଦେଇଛନ୍ତି ଅଖିଳେଶ।
ଏହି ବୟାନ ପରେ ଉତ୍ତର ପ୍ରଦେଶର ଭୋଟର ତାଲିକା, ହିନ୍ଦୁ ଭୋଟର ସଂଖ୍ୟା ଏବଂ ନିର୍ବାଚନୀ ଅନିୟମିତତାକୁ ନେଇ ରାଜନୈତିକ ବିବାଦ ଆହୁରି ତୀବ୍ର ହୋଇଛି। ଯୋଗୀଙ୍କ ଦାବି ଓ ଅଖିଳେଶଙ୍କ ପ୍ରଶ୍ନ ମଧ୍ୟରେ ଏବେ ସମସ୍ତଙ୍କ ନଜର ଏହି ୧୨.୭ ନିୟୁତ ଭୋଟର ତଥ୍ୟର ଉତ୍ସ ଉପରେ।


