ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ତାଲୁକ ଆଇନ ସେବା ସମିତି ତତ୍ବାବଧାନରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଅଧିକାର ଓ ସୁରକ୍ଷା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭ ରେ ପାରମ୍ପରିକ ଦାସକାଠିଆ ନୃତ୍ୟ ପରିବେଷଣ କରାଯାଇଥିଲା।
ଏଥିରେ ଶିଶୁ ଅଧିକାର, ସୁରକ୍ଷା ଓ କର୍ତ୍ତବ୍ୟ କୁ ଅବଗତ କରାଯାଇଥିଲା। ବିଚାରପତି ଶ୍ରୀ ମହାପାତ୍ରଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଧାନ ଆଚାର୍ଯ୍ୟ ଅବିନାଶ ପଟ୍ଟନାୟକ, ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାଗତ ଭାଷଣରେ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ଅବଗତ କରାଇଥିଲେ।
ଅନୁରୂପ ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ସରଳ ଭାଷାରେ ପ୍ରଶ୍ନୋତ୍ତର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ଯତ୍ନଶୀଳ ହୁଅନ୍ତୁ ବୋଲି ଉପଦେଶ ପ୍ରଦାନ କରିଥିଲେ। ଫ୍ରଣ୍ଟ ଅଫିସ ରିଟେନର ଶାନ୍ତନୁ କୁମାର ମହାପାତ୍ର, ଶିଶୁ ବିଦ୍ୟା ମନ୍ଦିର ର ସଭାପତି ରାଜକିଶୋର ଭୋପା ଆଦି ମଞ୍ଚରେ ଉପସ୍ଥିତ ଥିଲେ।
ସରସ୍ଵତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଜ୍ୟୋତିର୍ମୟ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ବିଦ୍ୟାଳୟର ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣ ପତ୍ରପ୍ରଦାନ କରିଥିଲେ। ଦାସକାଠିଆ ମାଧ୍ୟମରେ ବ୍ଲକ ଅଫିସ, ତହସିଲ ଅଫିସ, ପଲଟନ ପଡିଆ ଛକ ଆଦି ସ୍ଥାନରେ ଆଇନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପାରା ଲିଗାଲ ସ୍ବେଛାସେବୀମାନଙ୍କ ଦ୍ୱାରା ଏକ ଆଇନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପ୍ୟାନ ଇଣ୍ଡିଆ ସ୍କୁଲ ସଚେତନତା ଅଭିଯାନ ଅନ୍ତର୍ଗତ “ସୁରକ୍ଷିତ ବଚପନ ଅଭିଯାନ” କୁ ଲାଗୁ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।


