ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏନଡିଏର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମଧ୍ୟ ୟୁପିରେ ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତି ଜୋରଦାର କରିଦେଇଛି। ନଭେମ୍ବର ୫ ତାରିଖରେ ବାରାଣସୀରେ ଚିରାଗ ପାସୱାନ୍ ସଙ୍କଳ୍ପ ସଭା କରି ନିଜ ଦଳର ନିର୍ବାଚନୀ ଶକ୍ତି ପରଖିଥିଲେ। ଏହି ଅବସରରେ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ଜୋରଦାର ଟାର୍ଗେଟ କରିବା ସହ ଏନଡିଏ ସହ ମେଣ୍ଟକୁ ନେଇ ବଡ଼ ଦାବି କରିଛନ୍ତି।
ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ଅଂଶ। ସେ ନିଜେ କେନ୍ଦ୍ର ସରକାରରେ ମନ୍ତ୍ରୀ ଅଛନ୍ତି। ଏବେ ସେ ୟୁପି ନିର୍ବାଚନରେ ନିଜ ଦଳର ପରିସର ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ ଶୁକ୍ରବାର ବାରାଣସୀରେ ଜନସଭା କରିଥିଲେ।
ଏହି ଅବସରରେ ସାମ୍ବାଦିକଙ୍କୁ ଚିରାଗ ପାସୱାନ୍ ଆଗାମୀ ୟୁପି ବିଧାନସଭା ନିର୍ବାଚନକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ, ମେଣ୍ଟକୁ ନେଇ ଏଯାଏଁ କୌଣସି ଔପଚାରିକ ଆଲୋଚନା ଆରମ୍ଭ ହୋଇନାହିଁ। କିନ୍ତୁ ଯଦି ମେଣ୍ଟ ହୋଇପାରିଲା ନାହିଁ, ତେବେ ସମ୍ଭବତଃ ତାଙ୍କ ଦଳ ଉତ୍ତରପ୍ରଦେଶର ସମସ୍ତ ୪୦୩ ବିଧାନସଭା ଆସନରେ ଏକା ନିର୍ବାଚନ ଲଢ଼ିବ।
ଅଖିଲେଶଙ୍କୁ କଡ଼ା ଆକ୍ରମଣ
ସପା ମୁଖ୍ୟ ଅଖିଲେଶ ଯାଦବ ବିଧାନସଭା ନିର୍ବାଚନ ନ ଲଢ଼ି ସିଧା ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ବୟାନ ଉପରେ ଚିରାଗ ପାସୱାନ୍ ତାଚ୍ଛଲ୍ୟ କରି କହିଛନ୍ତି ଯେ, ଏହା ହାରିବାର ଭୟ। ଦଳର ପ୍ରଦର୍ଶନକୁ ନେଇ ଚିନ୍ତା ଅଛି। ଲୋକସଭାରେ ମିଛ କହି ସମ୍ବିଧାନ ଉପରେ ବିପଦ ଅଛି, ସଂରକ୍ଷଣ ଉପରେ ବିପଦ ଅଛି କହି ଏମାନେ ଭୋଟ ହାସଲ କରିଥିଲେ। ଏବେ ଏମାନଙ୍କୁ ଭୟ ଅଛି ଯେ, ମହାରାଷ୍ଟ୍ରରେ ଯେମିତି ହୋଇଥିଲା, ଲୋକସଭାରେ ମହାରାଷ୍ଟ୍ର ଜନତା ବିପକ୍ଷକୁ ସାଥ୍ ଦେଇଥିଲେ କିନ୍ତୁ ବିଧାନସଭାରେ ପୁଣି ଏନଡିଏକୁ ଭାରି ମତରେ ଜିତାଇଥିଲେ।
ଏହି ଭୟ ଅଖିଲେଶଙ୍କୁ ଅଛି ଯେ, ବିଧାନସଭାରେ ଜନତା ତାଙ୍କୁ ସାଥ୍ ଦେବେ ନାହିଁ, ସେଥିପାଇଁ ସେ ନିର୍ବାଚନ ନ ଲଢ଼ିବା କଥା କହିଛନ୍ତି। ଆପଣ ସେହି ସେନାପତିଙ୍କ ଭୂମିକା ନିଭାନ୍ତୁ ଯିଏ ଯୁଦ୍ଧକ୍ଷେତ୍ରରେ ସବୁଠୁ ଆଗରେ ରହି ନିଜ ସୈନିକଙ୍କୁ ମାର୍ଗଦର୍ଶନ କରେ, ମହଲରେ ବସି ନିଜ ସୈନିକଙ୍କୁ ଲଢ଼ୁଥିବା ଦେଖୁଥିବା ଲୋକ ନୁହଁନ୍ତି।
ଚିରାଗଙ୍କୁ ଶୁଣିବାକୁ ହଜାର ହଜାର ଲୋକ
ବାରାଣସୀରେ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ର ସଙ୍କଳ୍ପ ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଚିରାଗ ପାସୱାନଙ୍କୁ ଶୁଣିବା ପାଇଁ ହଜାର ହଜାର ଲୋକ ପହଞ୍ଚିଥିଲେ। ଚିରାଗଙ୍କ ଏଣ୍ଟ୍ରି ମଧ୍ୟ ବିଲକୁଲ୍ ଅଲଗା ଢଙ୍ଗରେ ହୋଇଥିଲା। ସେ ମଞ୍ଚକୁ ଆସିବା ମାତ୍ରେ ଲୋକଙ୍କ ଉତ୍ସାହ ବଢ଼ିଯାଇଥିଲା ଏବଂ ସେ ଏକ ଅଲଗା ଅନ୍ଦାଜରେ ମାଇକ୍ ଧରି ଲୋକଙ୍କୁ ସମ୍ବୋଧିତ କରିଥିଲେ।


