ବାଲୁଗାଁ: ଚିଲିକା ହ୍ରଦକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘେରିମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜି ବାଲୁଗାଁ ଅଞ୍ଚଳର ଚନ୍ଦ୍ରାପୁଟ, ବାଲୁଗାଁ ଏବଂ କଳିଯୁଗେଶ୍ୱର ପ୍ରଭୃତି ସ୍ଥାନରେ ଚାଲିଥିବା ବେଆଇନ ଚିଙ୍ଗୁଡ଼ି ଘେରିଗୁଡ଼ିକୁ ଉଚ୍ଛେଦ କରାଯାଇଛି। ତହସିଲଦାର ଏବଂ ପୋଲିସ ପ୍ରଶାସନର ମିଳିତ ଟିମ୍ ଉପସ୍ଥିତ ରହି ବାଉଁଶ, ଜାଲ ଏବଂ ମାଟି ବନ୍ଧ ଭାଙ୍ଗି ଏହି ବେଆଇନ କବ୍ଜା ହଟାଇଛନ୍ତି। ତେବେ ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡ଼ିଛି। ବେଆଇନ ଘେରି କାରଣରୁ ଚିଲିକାର ସୁନ୍ଦର ପ୍ରାକୃତିକ ପରିବେଶ, ଜଳଜୀବ, ମାଛ ଏବଂ ବିଦେଶାଗତ ପକ୍ଷୀଙ୍କ ବାସସ୍ଥଳୀ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହେଉଛି। ଏହା ସହିତ ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଜୀବିକା ମଧ୍ୟ ଗତ କିଛି ଦିନ ହେବ ଗଭୀର ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ‘ଘେରି ମୁକ୍ତ ଚିଲିକା’ ଅଭିଯାନ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ସମସ୍ତ ବେଆଇନ ଘେରିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏହି ସଫଳ ଅଭିଯାନ ପରେ ଆସନ୍ତାକାଲି ନାଚୁଣୀ ଏବଂ ଟାଙ୍ଗୀ ଅଞ୍ଚଳରେ ଘେରି ଉଚ୍ଛେଦ କରାଯିବା ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ ଯେଉଁମାନେ ପୁନର୍ବାର ଚିଲିକାରେ ବେଆଇନ ଘେରି କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ ଭାବେ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


