ପାରଳାଖେମୁଣ୍ଡି: ଭୋର୍ରେ ଘରେ ଶୋଇଥିବା ବେଳେ ହଠାତ୍ ମାଡ଼ିଆସିଲା ଦ୍ରୁତଗାମୀ କାର୍। ରାସ୍ତାକଡ଼ରେ ଥିବା ଘରର କାନ୍ଥ ଭାଙ୍ଗି ଭିତରକୁ ପଶିଗଲା ଗାଡ଼ି। ଏହି ଦୁର୍ଘଟଣାରେ ଘରର ଆସବାବପତ୍ର, ଦୁଇଟି ସିଲେଇ ମେସିନ୍ ଓ ଫ୍ରିଜ୍ ଭାଙ୍ଗି ନଷ୍ଟ ହୋଇଯାଇଛି। ତେବେ ଭାଗ୍ୟବଶତଃ ଘରେ ଶୋଇଥିବା ପରିବାରର ୪ ସଦସ୍ୟ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଏଭଳି ଏକ ଭୟାବହ କାର୍ ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପିଣ୍ଡିକି ଗାଁରେ ଘଟିଛି।
ସୂଚନା ଅନୁଯାୟୀ, ଭୋର୍ ସମୟରେ ଏକ କାର୍ ମୋହନାରୁ ଚାନ୍ଦିପୁଟ ଅଭିମୁଖେ ଯାଉଥିଲା। ପିଣ୍ଡିକି ଗାଁ ନିକଟରେ ଚାଳକ ଗାଡ଼ିର ଭାରସାମ୍ୟ ହରାଇବାରୁ କାର୍ଟି ରାସ୍ତାକଡ଼ରେ ଥିବା ହରପ୍ରସାଦ ବିଷୋୟୀଙ୍କ ଘର ଭିତରକୁ ପଶିଯାଇଥିଲା। ହଠାତ୍ ଘର ଭିତରକୁ କାର୍ ମାଡ଼ିଯିବାରୁ ଘରର ଆସବାବପତ୍ର ସମେତ ଦୋକାନରେ ଥିବା ସାମଗ୍ରୀ ଛିନ୍ଛତ୍ର ହୋଇଯାଇଥିଲା। ଏଥିରେ ଦୁଇଟି ସିଲେଇ ମେସିନ୍ ଓ ଫ୍ରିଜ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଦୁର୍ଘଟଣା ସମୟରେ ହରପ୍ରସାଦ, ତାଙ୍କ ପତ୍ନୀ, ପୁଅ ଓ ଝିଅ ଘରର ପଛପଟେ ଥିବା ଅନ୍ୟ ଏକ କୋଠରିରେ ଶୋଇଥିଲେ। ଫଳରେ କାର୍ ସିଧାସଳଖ ଘର ଭିତରକୁ ପଶିଯାଇଥିଲେ ମଧ୍ୟ ପରିବାରର ସମସ୍ତ ୪ ସଦସ୍ୟ ସୁରକ୍ଷିତ ରହିଛନ୍ତି। ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଛି।
ତେବେ ଏହି ଦୁର୍ଘଟଣା ହରପ୍ରସାଦଙ୍କ ପରିବାର ପାଇଁ ଆର୍ଥିକ ସଙ୍କଟ ଆଣିଦେଇଛି। ବିଭିନ୍ନ ସ୍ଥାନରୁ ଋଣ କରି ସେ ଘରେ ଏକ ଛୋଟ ଦୋକାନ ଖୋଲିଥିଲେ। ଏହା ସହିତ ଦୁଇଟି ସିଲେଇ ମେସିନ୍ ମାଧ୍ୟମରେ ସିଲେଇ କାମ କରି ପରିବାର ଚଳାଉଥିଲେ। ହେଲେ କାର୍ ଧକ୍କାରେ ଦୋକାନର ସାମଗ୍ରୀ ଓ ରୋଜଗାରର ମୁଖ୍ୟ ମାଧ୍ୟମ ନଷ୍ଟ ହୋଇଯିବା ପରେ ଏବେ ଋଣ କିପରି ପରିଶୋଧ କରିବେ, ସେହି ଚିନ୍ତାରେ ପଡ଼ିଛନ୍ତି ହରପ୍ରସାଦ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଓ ଫେରାର୍ ଚାଳକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।


