ଭୁବନେଶ୍ଵର : ବାତ୍ୟା ‘ଅକୱାନ୍’ ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସମସ୍ତ ବିଭାଗକୁ ହାଇଆଲର୍ଟରେ ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଗୋପାଳପୁର, ସୋନପୁର ଓ ଆର୍ଯ୍ୟପଲ୍ଲୀ ସମେତ ଜିଲ୍ଲାର ସମସ୍ତ ସମୁଦ୍ର ବେଳାଭୂମିକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଛି। ମଙ୍ଗଳବାର ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ୍ ଏହି ସୂଚନା ଦେଇଛନ୍ତି।
ଜିଲ୍ଲାର ୧୧୩୯ଟି ଆଶ୍ରୟସ୍ଥଳୀରେ ୧ ଲକ୍ଷ ୨୧ ହଜାର ୫୯୭ ଜଣଙ୍କ ରହିବା ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ ୬୪ଟି ଆଶ୍ରୟସ୍ଥଳୀକୁ ୨୭୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ନଭେମ୍ବର ୨୦ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଲାଗିଛି। ୧୫୭୮ଟି ଡଙ୍ଗାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ବେଳେ ୯ଟି ଆନ୍ଧ୍ର ଟ୍ରଲରକୁ ମଧ୍ୟ ସୁରକ୍ଷିତ ରଖାଯାଇଛି।
ବିପର୍ଯ୍ୟୟ ମୁକାବିଲା ପାଇଁ ୧୨ଟି ଓଡ୍ରାଫ୍ ଟିମ୍, ୩ଟି ଏନ୍ଡିଆର୍ଏଫ୍ ୟୁନିଟ୍ ଓ ୨୪ଟି ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି। ଏହାସହ ୧୩ଟି ମେଡିକାଲ୍ ରେସପନ୍ସ ଟିମ୍ ଓ ୨୩ଟି ପ୍ରାଣୀ ଚିକିତ୍ସା ଦଳକୁ ସଜାଗ ରଖାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧୭୭୭ ଜଣ ଗର୍ଭବତୀଙ୍କ ମଧ୍ୟରୁ ୭୧୧ ଜଣଙ୍କୁ ସୁରକ୍ଷିତ ଭାବେ ମାଆ ଗୃହ ଓ ଡାକ୍ତରଖାନାକୁ ନିଆଯାଇଛି। ଏହାସହ ୧୦୨ଟି ସୁରକ୍ଷିତ ପ୍ରସବ ହୋଇଛି।
ଜିଲ୍ଲାର ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ବ୍ରହ୍ମପୁରରେ ଡ୍ରେନ୍ ସଫେଇ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଆଶ୍ରୟସ୍ଥଳୀ ପାଇଁ ଚୁଡ଼ା, ଗୁଡ଼, ପାଣି ଓ ରନ୍ଧା ଖାଦ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି। ସମସ୍ତ ବ୍ଲକ୍, ପୌରାଞ୍ଚଳ ଓ ତହସିଲରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ୦୬୮୧୧-୨୬୩୯୭୮ ନମ୍ବର ଜାରି ହୋଇଛି।


