ଭୁବନେଶ୍ୱର: ବାତ୍ୟାଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି, ଜନସୁରକ୍ଷା ଓ ଉଦ୍ଧାର କାର୍ଯ୍ୟର ସ୍ଥିତି ସମ୍ପର୍କରେ ଆଜି ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର (ଏସଇଓସି), ରାଜୀବ ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସମୀକ୍ଷା କରିବା ପରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆସନ୍ତାକାଲି ସକାଳ ସୁଦ୍ଧା ରାଜ୍ୟରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବାତ୍ୟା ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇଛି। ଏହା ନୟାଗଡ଼, ଅନୁଗୁଳ ଓ ସମ୍ବଲପୁର ଦେଇ ଝାଡ଼ଖଣ୍ଡ ଆଡ଼କୁ ଗତି କରିବାର ଆକଳନ କରାଯାଇଛି। ଓଡ଼ିଶା ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ରହିଥିବା ବେଳେ ଏହା କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତ (ଡିପ୍ ଡିପ୍ରେସନ୍) ଏବଂ ପରେ ଅବପାତ (ଡିପ୍ରେସନ୍)ରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଗୁଆ ସତର୍କ ସୂଚନା ଜାରି କରାଯାଇଥିଲା। ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ରେଡ୍ ଜୋନ୍ରେ ରଖାଯାଇଥିବା ବେଳେ କେତେକ ଜିଲ୍ଲାକୁ ଅରେଞ୍ଜ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକୁ ୟେଲୋ ଜୋନ୍ରେ ରଖାଯାଇଥିଲା। ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସ୍ଥଳବିଶେଷରେ ବର୍ଷା ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡରେ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ସେଠାକାର ଜଳସମ୍ପଦ ବିଭାଗର ସଚିବଙ୍କ ସହ ରାଜ୍ୟ ସରକାର ଯୋଗାଯୋଗ କରିଛନ୍ତି। ଝାଡ଼ଖଣ୍ଡରେ ଡ୍ୟାମଗୁଡ଼ିକରେ ପର୍ଯ୍ୟାପ୍ତ ଜଳଧାରଣ କ୍ଷମତା ଉପଲବ୍ଧ ଥିବାରୁ ଆବଶ୍ୟକ ଜଳ ସଂରକ୍ଷଣ କରାଯିବ ଏବଂ ଅତିରିକ୍ତ ଜଳ ଛଡ଼ାଯିବ ନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି।
ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ୨୦ଟି ଜିଲ୍ଲାର ୧୯୭ଟି ବ୍ଲକ୍ ଓ ୫୬ଟି ପୌରାଞ୍ଚଳ ଅନ୍ତର୍ଗତ ୬,୨୦୧ଟି ପ୍ରଭାବିତ ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା। ପ୍ରାୟ ୪ ଲକ୍ଷ ୪୦ ହଜାର ୪୬୧ ଲୋକଙ୍କୁ ବିପଦସଂକୁଳ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକମାନଙ୍କ ସୁରକ୍ଷିତ ଆଶ୍ରୟ ନିମନ୍ତେ ପ୍ରାୟ ୧୦ ହଜାର ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ପ୍ରସ୍ତୁତ ରଖାଯାଇଥିବା ବେଳେ ସେଥିମଧ୍ୟରୁ ୩,୬୫୩ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ଏହି ଆଶ୍ରୟସ୍ଥଳୀଗୁଡ଼ିକରେ ଲୋକଙ୍କ ସହ ଅଧିକାରୀମାନେ ଉପସ୍ଥିତ ରହି ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ଗର୍ଭବତୀ ମହିଳାମାନଙ୍କ ସୁରକ୍ଷା ଓ ନିରାପଦ ପ୍ରସବ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି। ଚିହ୍ନଟ ହୋଇଥିବା ୧୨,୩୦୫ ଜଣ ଆସନ୍ନପ୍ରସବା ମହିଳାଙ୍କ ମଧ୍ୟରୁ ୫,୬୭୪ ଜଣ ମହିଳାଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା ଏବଂ ତନ୍ମଧ୍ୟରୁ ୨,୩୧୬ ଜଣଙ୍କର ନିରାପଦ ପ୍ରସବ ହୋଇଛି। ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଅଛନ୍ତି। ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ନିୟନ୍ତ୍ରଣରେ ରହିଛି। ମହାନଦୀ, ଦେବୀ, କୁଶଭଦ୍ରା, ଇବ୍, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଂକେତ ও ସତର୍କ ସଂକେତଠାରୁ ତଳେ ରହିଛି। ଋଷିକୁଲ୍ୟା ନଦୀର ପୁରୁଷୋତ୍ତମପୁରଠାରେ ମଧ୍ୟ ଜଳସ୍ତର ବିପଦ ଓ ସତର୍କ ସଂକେତଠାରୁ କମ୍ ରହିଛି। ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ଅଧିକ ବର୍ଷା ହେବାର ଆକଳନ ରହିଥିବାରୁ ଏହାର ପ୍ରଭାବ ପଡ଼ୋଶୀ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇପାରେ ଏବଂ ନଦୀ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି।
କେତେକ ସ୍ଥାନରେ ଛୋଟ ଧରଣର ଭୂସ୍ଖଳନ ଓ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ରିପୋର୍ଟ ମିଳିଥିଲା। ଅଗ୍ନିଶମ ସେବା, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ଓ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ (ଓଡ୍ରାଫ) ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରି ଯାତାୟାତ ସ୍ୱାଭାବିକ କରିଛନ୍ତି ଏବଂ ୧୫ରୁ ୨୦ଟି ସ୍ଥାନରେ ଗଛର ଡାଳ ଭାଙ୍ଗି ପଡ଼ିଥିବା ଘଟଣାକୁ ତୁରନ୍ତ ସମାଧାନ କରାଯାଇଛି। ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଅପ୍ରୀତିକର ଘଟଣା ସମ୍ପର୍କିତ ରିପୋର୍ଟ ହସ୍ତଗତ ହୋଇନାହିଁ। ରାସ୍ତା, ଗମନାଗମନ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ମଧ୍ୟ କୌଣସି ବିଶେଷ କ୍ଷୟକ୍ଷତିର ସୂଚନା ମିଳିନାହିଁ। ପ୍ରତିକୂଳ ପାଣିପାଗ ଯୋଗୁଁ କେତେକ ରେଳ ଓ ବିମାନ ସେବା ବାତିଲ କରାଯାଇଥିଲା ଏବଂ ପରେ ପରିସ୍ଥିତି ଦେଖି ତାହାକୁ ପର୍ଯ୍ୟାୟକ୍ରମେ ସ୍ୱାଭାବିକ କରାଯାଇଛି। ସେହିପରି ଉଭୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) କାର୍ଯ୍ୟାଳୟ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗରେ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ୍ ରୁମ୍) ଖୋଲାଯାଇଥିବା ବେଳେ ଗଣମାଧ୍ୟମରେ ପ୍ରସାରିତ ବିଭିନ୍ନ ଖବରର ସତ୍ୟତା ଯାଞ୍ଚ କରାଯାଇ କୌଣସି ସ୍ଥାନରେ ସମସ୍ୟା ଥିଲେ ତୁରନ୍ତ ତାହାର ସମାଧାନ ସୁନିଶ୍ଚିତ କରାଯାଉଛି।
ମୁଖ୍ୟମନ୍ତ୍ରୀ ଗତକାଲି ରାତି ୨ଟା ପର୍ଯ୍ୟନ୍ତ ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର (ଏସଇଓସି)ରେ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ସ୍ଥିତିର ସମୀକ୍ଷା କରିଥିଲେ। ଆଜି ମଧ୍ୟ ସକାଳ ୧୧ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଉପସ୍ଥିତ ରହି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଗତରାତି ସାରା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ନିରନ୍ତର ଯୋଗାଯୋଗ ରଖାଯାଇଥିଲା। ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟରେ ସାଂସଦ, ବିଧାୟକଙ୍କ ସମେତ ଜନପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ସକ୍ରିୟ ସହଯୋଗ କରିଥିଲେ। ବିଶେଷକରି ବୟସ୍କ ଓ ଅସହାୟ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ପ୍ରତ୍ୟକ୍ଷ କ୍ଷେତ୍ର (ଗ୍ରାଉଣ୍ଡ ଜିରୋ)ରେ ରହି ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ, ପ୍ରଶାସନର ସଜାଗତା ଓ ଆଗୁଆ ପ୍ରସ୍ତୁତି ଯୋଗୁଁ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରାଯାଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି। ଆଜି ରାତି ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଣିପାଗ ସ୍ଥିତି ସ୍ୱାଭାବିକ ହେବାର ଆଶା ରହିଥିବା ବେଳେ ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ଯାଏଁ ସତର୍କତା ଅବଲମ୍ବନ କରିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


