ସମ୍ବଲପୁର: ପ୍ରେମରୁ ବିବାହ, ବିବାହରୁ ମାତୃତ୍ୱ। ହେଲେ ଏହି ସମ୍ପର୍କକୁ ମିଳିଲାନି ପରିବାରର ସ୍ୱୀକୃତି। ସ୍ୱାମୀଙ୍କଠାରୁ ଦୂରେଇ ରହିବା ସହ ଉଭୟ ପରିବାରର ଅବହେଳା ଓ ସାମାଜିକ ଚାପ ଭିତରେ ଜୀବନ କାଟୁଥିଲେ ମହିଳା। କିନ୍ତୁ ଏହାର ପରିଣତି ଯେ ଏତେ ଭୟଙ୍କର ହେବ, ତାହା କେହି କଳ୍ପନା କରିନଥିଲେ। ନିଜର ୧୦ ମାସର ନିଷ୍ପାପ ଶିଶୁପୁତ୍ରକୁ କୂଅରେ ଫିଙ୍ଗି ହତ୍ୟା କରିବା ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ଜନ୍ମକଲା ମା’। ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଦଳିତପଡ଼ାର ଏହି ହୃଦୟବିଦାରକ ଘଟଣା ଏବେ ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।
ପୁଲିସ ସୂଚନା ଅନୁସାରେ, ରମିତା ବାଗ (ଛଦ୍ମନାମ) ସମ୍ବଲପୁରର ଏକ ହୋଟେଲରେ କାମ କରୁଥିବା ସମୟରେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ଗାଁର ଲୋକେଶ୍ୱର ପ୍ରଧାନ (୨୫)ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ପରେ ଉଭୟ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ହେଲେ ଏହି ବିବାହକୁ ଉଭୟ ପରିବାର ସ୍ୱୀକାର କରିନଥିଲେ। ଫଳରେ ସ୍ୱାମୀଙ୍କଠାରୁ ଦୂରେଇ ରହି ରମିତା ନିଜ ଶିଶୁପୁତ୍ର ସହ ଅଜାଙ୍କ ଘରେ ରହୁଥିଲେ।
ପରିବାରର ସ୍ୱୀକୃତି ନମିଳିବା ଏବଂ ସାମାଜିକ ଚାପ ତାଙ୍କୁ ମାନସିକ ଭାବେ ଅସ୍ଥିର କରିଦେଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ତେବେ ସ୍ୱାମୀଙ୍କ ସହ ତାଙ୍କର ଯୋଗାଯୋଗ ରହିଥିଲା। ଘଟଣାର ପୂର୍ବ ରାତିରେ ମଧ୍ୟ ଉଭୟ ଫୋନ୍ରେ କଥା ହୋଇଥିଲେ।
ଅଭିଯୋଗ ଅନୁସାରେ, ଗୁରୁବାର ରମିତା ୧୧୨ ନମ୍ବରକୁ ଫୋନ୍ କରି ନିଜ ଶିଶୁପୁତ୍ର ନିଖୋଜ ଥିବା ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ସମୟରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର କରିଥିଲା। ଘଟଣାରେ ସନ୍ଦେହ ହେବାରୁ ପୁଲିସ ମା’, ବାପା, ଅଜା, ଆଈ, ମାମୁଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ପରେ ଶିଶୁର ମା’ଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବାରୁ ତାଙ୍କୁ ଗିରଫ କରାଯାଇଛି।
ଅନ୍ୟ ଜଣେ ଯୁବକଙ୍କ ସହ ମହିଳାଙ୍କ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଲିସ ଏହାକୁ ଖଣ୍ଡନ କରିଛି। ଏହି ଘଟଣା ପଛରେ ପାରିବାରିକ ଅବହେଳା, ସାମାଜିକ ଚାପ ଓ ମାନସିକ ଅବସ୍ଥା କେତେଦୂର ଦାୟୀ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗିରଫ ମହିଳାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସ୍ପି ଅଜୟ ମିଶ୍ର ସୂଚନା ଦେଇଛନ୍ତି।


