ନୂଆଦିଲ୍ଲୀ: ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା ଏବଂ ସହଯୋଗକୁ ନୂଆ ଦିଶା ଦେବା ଲକ୍ଷ୍ୟରେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ ଶାହ ନଭେମ୍ବର ୨୨ରେ ଦୁଇ ଦିନିଆ ଗସ୍ତରେ ନୂଆଦିଲ୍ଲୀ ପହଞ୍ଚିବେ । ମାର୍ଚ୍ଚ ୨୦୨୬ରେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଆନୁଷ୍ଠାନିକ ଦ୍ୱିପାକ୍ଷିକ ବିଦେଶ ଗସ୍ତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ସେ ଏହି ଗସ୍ତ କରୁଛନ୍ତି। ଗସ୍ତ କାଳରେ ଶାହ ସୋମବାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ। ଏକ ଉଚ୍ଚସ୍ତରୀୟ ସରକାରୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ସହ ଆସୁଥିବା ଶାହଙ୍କ ଏହି ଗସ୍ତ ‘ପଡ଼ୋଶୀ ପ୍ରଥମ’ ନୀତି ଆଧାରରେ ଦୁଇ ଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରିପୋର୍ଟ ଅନୁସାରେ ଏକ ଉଚ୍ଚସ୍ତରୀୟ ସରକାରୀ ଏବଂ ବ୍ୟବସାୟିକ ପ୍ରତିନିଧି ଦଳ ସହ ଆସୁଥିବା ଶାହ ସୋମବାର, ନଭେମ୍ବର ୨୩ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ) ଅନୁଯାୟୀ, ଏହି ଗସ୍ତ ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ସହ ସମନ୍ୱୟ ରଖୁଛି ଏବଂ ଐତିହାସିକ, ସାଂସ୍କୃତିକ ତଥା ସଭ୍ୟତାଗତ ସମ୍ପର୍କରେ ଗଭୀର ଭାବେ ଜଡ଼ିତ ସହଭାଗିତାକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ। ବାଲେନ୍ ଶାହ ନେପାଳର ଦାୟିତ୍ୱଭାର ଗ୍ରହଣ କରିବା ପରଠାରୁ ଯଦିଓ ଭାରତ ବିରୋଧରେ ସିଧାସଳଖ କୌଣସି ମତମନ୍ତବ୍ୟ ଦେଇନାହାନ୍ତି ତଥାପି ଭାରତ ପ୍ରତି ତାଙ୍କର ସମର୍ଥନ ଥିବା ନେଇ ମଧ୍ୟ ପରିପ୍ରକାଶ କରିନାହାନ୍ତି। ନିକଟରେ ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ସମୟରେ ମଧ୍ୟ ସେ ଅନ୍ୟ କେତେକ ଦେଶ ସହ ଭାରତକୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ କରିଥିଲେ।


