ଗୌହାଟୀ : ଜନ୍ମରୁ ଜଙ୍ଘ ହାଡ଼ ଭାଙ୍ଗିଯିବା ସହ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼ୁଥିବା ୭ ସପ୍ତାହର ଏସୀୟ ହାତୀ ଛୁଆ ‘ରାଜା’କୁ ଉନ୍ନତ ଚିକିତ୍ସା ପାଇଁ ଆସାମରୁ ଗୁଜରାଟର ଜାମନଗରସ୍ଥିତ ‘ଭନ୍ତାରା’କୁ ଏୟାରଲିଫ୍ଟ କରାଯାଇଛି। ‘ଭନ୍ତାରା’ର ପ୍ରତିଷ୍ଠାତା ଅନନ୍ତ ଅମ୍ବାନୀଙ୍କ ପ୍ରୟାସରେ ଭାରତରେ ଏହା ଏଭଳି ତୃତୀୟ ଏୟାରଲିଫ୍ଟ ହୋଇଥିବା ବେଳେ ଏହି ପଦକ୍ଷେପକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଶଂସା କରିଛନ୍ତି। ଗତ ୭ ସପ୍ତାହ ଧରି ‘ଭନ୍ତାରା’ର ପ୍ରାଣୀ ଚିକିତ୍ସକ ଦଳ ଆସାମର ପୋହୁମାରାସ୍ଥିତ ରାଜାର ମାଲିକ ଭୋଳାନାଥ ପେଗୁଙ୍କ ଘରେ ରହି ତା’ର ଚିକିତ୍ସା କରୁଥିଲେ। ତେବେ ବର୍ତ୍ତମାନ ତା’ର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ପୂର୍ଣ୍ଣାଙ୍ଗ ଡାକ୍ତରଖାନାରେ ଚିକିତ୍ସା, ବିଶେଷଜ୍ଞ ଅସ୍ଥିଶଲ୍ୟ ଚିକିତ୍ସା ଏବଂ ପୁନର୍ବାସର ଆବଶ୍ୟକତା ପଡ଼ିଛି। ଏତେ କମ୍ ବୟସ ଓ ଦୁର୍ବଳ ଅବସ୍ଥାରେ ରାଜାକୁ ସଡ଼କ ପଥରେ ୨,୫୦୦ କିଲୋମିଟରରୁ ଅଧିକ ବାଟ ନେବା ସମ୍ଭବ ନଥିବାରୁ ଅନନ୍ତ ଅମ୍ବାନୀ ତାକୁ ବିମାନ ଯୋଗେ ନେବାର ବ୍ୟବସ୍ଥା କରିଥିଲେ।
ମାଲିକ ଭୋଳାନାଥ ପେଗୁଙ୍କ ଅନୁରୋଧ କ୍ରମେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ‘ଭନ୍ତାରା’ ସହ ଯୋଗାଯୋଗ କରିଥିଲେ। ଶୁକ୍ରବାର ସକାଳେ ରାଜାକୁ ଜାମନଗର ଏୟାରଲିଫ୍ଟ କରାଯିବା ପରେ ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି, ତା’ର ମାଲିକ ଭୋଳାନାଥ ପେଗୁଙ୍କ ଅନୁରୋଧ କ୍ରମେ ମୁଁ ‘ଭନ୍ତାରା’ ସହ ଯୋଗାଯୋଗ କରିଥିଲି। ସେମାନେ ସ୍ୱତନ୍ତ୍ର ଚିକିତ୍ସା ପାଇଁ ରାଜାକୁ ଜାମନଗରସ୍ଥିତ ସେମାନଙ୍କ ପୁନର୍ବାସ କେନ୍ଦ୍ରକୁ ଏୟାରଲିଫ୍ଟ କରିଛନ୍ତି ଏବଂ ସେ ଚିକିତ୍ସାରେ ଭଲ ସହଯୋଗ କରୁଛି। ଏହି ଉଦାର ପଦକ୍ଷେପ ପାଇଁ ଅନନ୍ତ ଅମ୍ବାନୀ ଏବଂ ଟିମ୍ ଭନ୍ତାରାକୁ ସାଧୁବାଦ। ଆମେ ରାଜାର ଆଶୁ ଆରୋଗ୍ୟ କାମନା କରୁଛୁ।”
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ‘ଭନ୍ତାରା’ର ଜଣେ ମୁଖପାତ୍ର କହିଛନ୍ତି ଯେ ରାଜାର ଆରୋଗ୍ୟ ସେମାନଙ୍କ ମିଳିତ ଲକ୍ଷ୍ୟ ଏବଂ ଆସାମବାସୀଙ୍କ ଆଶୀର୍ବାଦରେ ଦଳ ତାକୁ ନିଜ ଗୋଡ଼ରେ ଠିଆ କରାଇବାକୁ ଯଥାସମ୍ଭବ ଚେଷ୍ଟା କରିବ। ‘ଭନ୍ତାରା’ର ସିଇଓ ଭିଭାନ୍ କରାନୀ କହିଛନ୍ତି, “ରାଜା ଏକ ଭଙ୍ଗା ଗୋଡ଼ ନେଇ ଏହି ଦୁନିଆକୁ ଆସିଥିଲା, କିନ୍ତୁ ତା’ର ମନୋବଳ କେବେ ଭାଙ୍ଗି ନଥିଲା। ୭ ସପ୍ତାହ ଧରି ସେ ତା’ର ଛୋଟ ଶରୀରଠାରୁ ଢେର ଅଧିକ ସାହସର ସହ ଲଢ଼େଇ କରିଛି। ଏବେ ତାକୁ ଆଗକୁ ନେବାର ପାଳି ଆମର। ଅନନ୍ତ ଅମ୍ବାନୀଙ୍କ ଦୟା ଓ ସ୍ନେହ ସଡ଼କ ପଥର ଅନେକ ଦିନର ଯାତ୍ରାକୁ ବିମାନ ଯୋଗେ ମାତ୍ର କିଛି ଘଣ୍ଟାରେ ପରିଣତ କରିଛି। ‘ଭନ୍ତାରା’ରେ ଆମେ ତାକୁ ଠିଆ ହେବା, ଚାଲିବା ଏବଂ ଦିନେ ଦୌଡ଼ିବା ପାଇଁ ସମସ୍ତ ସୁଯୋଗ ଦେବୁ।”
ଗତ ୨ ଅକ୍ଟୋବର ୨୦୨୬ରେ ଆସାମର ଗୋଗାମୁଖଠାରେ ରାଜାର ଜନ୍ମ ହୋଇଥିଲା। ୧୧ ବର୍ଷୀୟା ମାଆ ହାତୀଟି ପ୍ରସବ ପରେ ଭୟଭୀତ ଓ ଅସ୍ଥିର ହୋଇ ଗୋଇଠା ମାରିବାରୁ ଜନ୍ମର ପ୍ରଥମ ଦିନରେ ହିଁ ରାଜାର ଡାହାଣ ପଛ ଗୋଡ଼ର ଜଙ୍ଘ ହାଡ଼ (ଫେମର) ଭାଙ୍ଗି ଯାଇଥିଲା। ଫଳରେ ସେ ଠିଆ ହୋଇପାରି ନଥିଲା କିମ୍ବା ମାଆର କ୍ଷୀର ମଧ୍ୟ ପିଇପାରି ନଥିଲା। ୮ ଅକ୍ଟୋବରରେ ଭନ୍ତାରାର ରାପିଡ୍ ରେସପନ୍ସ ଟିମ୍ ପହଞ୍ଚି ଏକ୍ସ-ରେ ରିପୋର୍ଟ ଆଧାରରେ ଜାଣିବାକୁ ପାଇଥିଲା ଯେ ଭଙ୍ଗା ହାଡ଼ର ଦୁଇ ଅଂଶ ପରସ୍ପର ଉପରକୁ ଚଢ଼ି ଅଲଗା ହୋଇଯାଇଛି। ଏହା ପରେ ପ୍ଲାଷ୍ଟର କାଷ୍ଟ, ବ୍ୟାଣ୍ଡେଜ୍, ଝୁଲା ଏବଂ ସ୍ୱତନ୍ତ୍ର କ୍ଷୀର ମାଧ୍ୟମରେ ତା’ର ଯତ୍ନ ନିଆଯାଉଥିଲା। ୧୦ ଅକ୍ଟୋବରରେ ତାକୁ ପୋହୁମାରାସ୍ଥିତ ମାଲିକଙ୍କ ଘରକୁ ନିଆଯାଇ ତଦାରଖ ଜାରି ରଖାଯାଇଥିଲା।
ଶୁକ୍ରବାର ପ୍ରାୟ ଚାରି ଘଣ୍ଟାର ସ୍ୱତନ୍ତ୍ର ବିମାନ ଯାତ୍ରାରେ ଗୌହାଟୀରୁ ଜାମନଗର ନିଆଯାଉଥିବା ରାଜା ପାଇଁ ସ୍ୱତନ୍ତ୍ର କ୍ରେଟ୍ ବ୍ୟବସ୍ଥା କରାଯାଇଛି। ଭିତରେ ମୋଟା ଓ ନରମ ଗଦି ବିଛାଯିବା ସହ ପ୍ରାଣୀ ଚିକିତ୍ସକ, ପାରାଭେଟ୍ ଓ ସହାୟକ ଦଳ ଯାତ୍ରା ସମୟରେ ତା’ର ହୃଦସ୍ପନ୍ଦନ, ଶ୍ୱାସକ୍ରିୟା, ତାପମାତ୍ରା ଓ ରକ୍ତ ଶର୍କରା ଉପରେ ନଜର ରଖିଛନ୍ତି। ଜାମନଗରରେ ପହଞ୍ଚିବା ପରେ ତାକୁ ଭନ୍ତାରାର ହାତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସମ୍ପୂର୍ଣ୍ଣ ପରୀକ୍ଷା, ଯନ୍ତ୍ରଣା ନିବାରଣ, ମୋବିଲିଟି ଥେରାପି ଓ ପୋଷଣ ଚିକିତ୍ସା ଦିଆଯିବ। ଆଘାତର ଗମ୍ଭୀରତା ଦୃଷ୍ଟିରୁ ତା’ର ଆଜୀବନ ଚିକିତ୍ସା ଓ ତଦାରଖ ପାଇଁ ଭନ୍ତାରା ପ୍ରତିଶ୍ରୁତିବଦ୍ଧ। ସୂଚନାଯୋଗ୍ୟ, ‘ଭନ୍ତାରା’ (ଅର୍ଥ- ଜଙ୍ଗଲର ତାରା) ହେଉଛି ଗୁଜରାଟର ଜାମନଗରଠାରେ ଅବସ୍ଥିତ ଏକ ବନ୍ୟପ୍ରାଣୀ ଉଦ୍ଧାର, ଚିକିତ୍ସା, କଲ୍ୟାଣ ଓ ସଂରକ୍ଷଣ ଅଭିଯାନ, ଯାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ।


