ଭୁବନେଶ୍ୱର: ବାତ୍ୟା ‘ଅକୱାନ୍’ ଦୁର୍ବଳ ହୋଇ ଏବେ ଲଘୁଚାପରେ ପରିଣତ ହୋଇଛି। ତେବେ ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ପରେ ପ୍ରଭାବିତ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ଓ ପରବର୍ତ୍ତୀ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ୪ଟି ବ୍ଲକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୭ଟି ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଅତ୍ୟଧିକ ବର୍ଷା କାରଣରୁ ଜିଲ୍ଲାର ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି, ଯାହାଫଳରେ ଧାନ ସମେତ ଅନ୍ୟାନ୍ୟ ଫସଲ ବ୍ୟାପକ ମାତ୍ରାରେ ନଷ୍ଟ ହୋଇଛି। ଏହି କ୍ଷତିକୁ ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଥିବା ବେଳେ ସରକାର କ୍ଷୟକ୍ଷତିର ସଠିକ୍ ଆକଳନ କରି ରିଲିଫ ପ୍ରଦାନ କରିବାକୁ ପଦକ୍ଷେପ ନେଉଛନ୍ତି।
ଅନ୍ୟପକ୍ଷରେ, ସମ୍ଭାବ୍ୟ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ପୂର୍ବରୁ ହିଁ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା, ଯାହାଫଳରେ ଜନଜୀବନ ସୁରକ୍ଷିତ ରହିପାରିଛି। ଭୂସ୍ଖଳନଜନିତ ପରିସ୍ଥିତି ଓ ପରବର୍ତ୍ତୀ ସ୍ଥିତିର ଦକ୍ଷ ମୁକାବିଲା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ସହିତ ବୁଝାମଣା କରାଯିବ। ଭୂସ୍ଖଳନ ପରବର୍ତ୍ତୀ ସ୍ଥିତିର କିପରି ପ୍ରଭାବଶାଳୀ ମୁକାବିଲା କରାଯାଇପାରିବ, ସେନେଇ ଉଭୟ ପକ୍ଷ ମଧ୍ୟରେ ବିସ୍ତୃତ ଆଲୋଚନା କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରକାଶ କରିଛନ୍ତି।


