ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ବୈଶାଳୀଠାରେ ପ୍ରାୟ ୩୪,୪୭୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କରିବା ସହିତ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଜନସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାର୍ବଜନୀନ ବିଶ୍ୱାସର ମହାନ ପର୍ବ ଛଟ୍ ପୂଜା ଏବେ ନିକଟରେ ସମାପ୍ତ ହୋଇଛି। ଏହି ପର୍ବ ସମୟରେ ମା’ ଓ ଭଉଣୀମାନେ ନିଜ ପରିବାର, ସମାଜ ତଥା ସମଗ୍ର ବିଶ୍ୱର ମଙ୍ଗଳ କାମନା କରି କଠିନ ନିର୍ଜଳା ଉପବାସ ପାଳନ କରିଥିଲେ। “ଏବେ ଛଟୀ ମା’ଙ୍କ ଆଶୀର୍ବାଦରେ ଆମେ ଏଠାରେ ବିକାଶର ପର୍ବ ପାଳନ କରୁଛୁ,” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ।
‘ସବକା ସାଥ୍, ସବକା ବିକାଶ’ ମନ୍ତ୍ରକୁ ଆଧାର କରି ଗଣତନ୍ତ୍ରର ଶକ୍ତିକୁ ଜନକଲ୍ୟାଣର ମାଧ୍ୟମରେ ପରିଣତ କରି ବିହାରର ବିକାଶ ଯାତ୍ରା ଆଗକୁ ବଢ଼ିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସରକାରଙ୍କ ବର୍ତ୍ତମାନ କାର୍ଯ୍ୟକାଳର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ପାଇଁ ଗଣତନ୍ତ୍ରର ମହାନ ଭୂମି ବୈଶାଳୀକୁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। ବୈଶାଳୀ ଓ ବିହାରର ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଏହି ଐତିହାସିକ ମାଇଲଖୁଣ୍ଟରେ ସାମିଲ ଥିବା ସମସ୍ତଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ।
ପ୍ରାୟ ତିନି ଦଶନ୍ଧି ପୂର୍ବେ ବିହାର କିପରି ଆଶା ଓ ବିଶ୍ୱାସର ଏକ ନୂତନ ପଥ ବାଛିଥିଲା, ତାହା ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମ୍ମାନନୀୟ ନୀତୀଶ କୁମାରଙ୍କ ଦୀର୍ଘ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିହାରରେ ସୁଶାସନର ଏକ ନୂତନ ବିଶ୍ୱାସ ସୃଷ୍ଟି ହୋଇଥିଲା। ଏବେ ତାଙ୍କ ଆଶୀର୍ବାଦରେ ସମ୍ରାଟ ଚୌଧୁରୀ ଏହି ବିକାଶ ଯାତ୍ରାକୁ ଆଗେଇ ନେଉଛନ୍ତି। ହଜାର ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ସମ୍ପର୍କରେ ଉଲ୍ଲେଖ କରିବା ସହ ନୀତୀଶ କୁମାରଙ୍କ ସମ୍ମାନାର୍ଥେ ‘ନୀତୀଶ ସେତୁ’ ନାମରେ ନାମିତ ମା’ ଗଙ୍ଗା ନଦୀ ଉପରେ ନିର୍ମିତ ୬ ଲେନ୍ ବିଶିଷ୍ଟ ଦରଗାହ-ବିଦୁପୁର କେବୁଲ୍ ସେତୁକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ସେତୁ ପାଟନା ଓ ବୈଶାଳୀ ମଧ୍ୟରେ ଦୂରତା ହ୍ରାସ କରିବା ଏବଂ ଯାତାୟାତଜନିତ ସମସ୍ୟା ଦୂର କରିବା ସହ ଫସଲ, ଫଳ, ପନିପରିବା, କ୍ଷୀର ଓ ଦହି ଭଳି କୃଷିଜାତ ଦ୍ରବ୍ୟଗୁଡ଼ିକୁ ବଡ଼ ବଜାରକୁ ପରିବହନ କରିବା ଅଧିକ ସହଜ କରିବ ବୋଲି ସେ କହିଥିଲେ। ଏହାର ସାମାଜିକ ଉପଯୋଗିତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ, “ଏହି ଅଞ୍ଚଳର ଯୁବପିଢ଼ିଙ୍କ ପାଇଁ ଶିକ୍ଷା ଏବଂ ବୟସ୍କମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ପାଇବା ଅଧିକ ସହଜ ହେବ।”
ବିହାରରେ ଆଧୁନିକ ସଡ଼କ ନେଟୱର୍କର ଦ୍ରୁତ ସମ୍ପ୍ରସାରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଔରଙ୍ଗାବାଦ-ଚୋରଦାହା ଛଅ ଲେନ୍ ବିଶିଷ୍ଟ ଜାତୀୟ ରାଜପଥର ଉଦ୍ଘାଟନ ସହ ଅନ୍ୟାନ୍ୟ ରାଜପଥ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଇଛି। “ଏହି ପ୍ରକଳ୍ପଗୁଡ଼ିକ ପାଇଁ ଶହ ଶହ କୋଟି ଟଙ୍କା ବ୍ୟୟ କରାଯିବ,” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ।
ସଡ଼କ ନେଟୱର୍କ ସହିତ ବିହାରର ଶକ୍ତି ଓ ସହରାଞ୍ଚଳ ବିକାଶ କ୍ଷେତ୍ରରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଘଟୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ବକ୍ସର ତାପଜ ବିଦ୍ୟୁତ୍ କେନ୍ଦ୍ରର ନିର୍ମାଣ, ପିରପୈନ୍ତି ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥାର ଶିଳାନ୍ୟାସ ଏବଂ ଫୁଲୱାରିଆ ଡ୍ୟାମ୍ଠାରେ ସୌରଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଭଳି ପ୍ରମୁଖ ପଦକ୍ଷେପ ଏହି ପରିବର୍ତ୍ତନର ଉଦାହରଣ। ରାଜ୍ୟର ଅତୀତ ଓ ବର୍ତ୍ତମାନର ସ୍ଥିତି ମଧ୍ୟରେ ତୁଳନା କରି ଶ୍ରୀ ମୋଦୀ କହିଥିଲେ, “ଏକ ସମୟ ଥିଲା, ଯେତେବେଳେ ବିହାରର ହଜାର ହଜାର ଗାଁରେ ବିଦ୍ୟୁତ୍ ସଂଯୋଗ ପହଞ୍ଚିପାରି ନଥିଲା। ଆଜି ବିହାର ବିଦ୍ୟୁତ୍ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଉଛି।”
ସହରାଞ୍ଚଳରେ ଯାତାୟାତକୁ ସୁବିଧାଜନକ କରିବା ପାଇଁ ଆଜି ୧୦୦ଟି ଆଧୁନିକ ପିଏମ୍ ଇ-ବସ୍ର ଶୁଭାରମ୍ଭ କରାଯାଇଥିବା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ହଜାର ହଜାର ଗରିବ ପରିବାରଙ୍କୁ ପକ୍କା ଘରର ଚାବି ହସ୍ତାନ୍ତର କରାଯାଇଥିବା କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ପ୍ରଗତିକୁ ସ୍ୱାଗତ କରିଥିଲେ। “ଏହି ସମସ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ମୁଁ ବିହାରବାସୀଙ୍କୁ ଅଭିନନ୍ଦନ ଜଣାଉଛି,” ବୋଲି ଶ୍ରୀ ମୋଦୀ କହିଥିଲେ।
ବିହାରର ଦୀର୍ଘ ପରିବର୍ତ୍ତନ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ରାଜ୍ୟରେ ନିବେଶର ପରିମାଣ, ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ବିକାଶ ପାଇଁ ସୁସ୍ଥ ପ୍ରତିଯୋଗିତା ଉପରେ ଗୁରୁତ୍ୱ ଦିଆଯାଉଛି। “ଉତ୍ତର ବିହାର ହେଉ କିମ୍ବା ନାଳନ୍ଦା-ଗୟାଜୀ, ଶାହାବାଦ-କୈମୁର ଅଥବା ରାଜଧାନୀ ପାଟନା-ପ୍ରତ୍ୟେକ ଅଞ୍ଚଳରେ ବିକାଶର ଏକ ନୂତନ ଅଧ୍ୟାୟ ଲେଖାଯାଉଛି,” ବୋଲି ଶ୍ରୀ ମୋଦୀ କହିଥିଲେ।
ବର୍ତ୍ତମାନ ସରକାରଙ୍କ ଅଧୀନରେ ଗତ ଏକ ବର୍ଷ ମଧ୍ୟରେ ହାସଲ ହୋଇଥିବା ସଫଳତାକୁ ବିହାରର ଦ୍ରୁତ ପ୍ରଗତିର ପ୍ରମାଣ ଭାବେ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପଦକ୍ଷେପର ଉଲ୍ଲେଖ କରିଥିଲେ। ଏଥିମଧ୍ୟରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ଚୁକ୍ତି, ଗୟାଜୀଠାରେ ୬,୦୦୦ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ, ମୋତିହାରୀ ସମେତ ବନ୍ଦ ହୋଇଯାଇଥିବା ଚିନିକଳଗୁଡ଼ିକର ପୁନରୁଦ୍ଧାର ପାଇଁ ନୂତନ ଆଖୁ ପ୍ରୋତ୍ସାହନ ନୀତି, କୃଷକଙ୍କ ପ୍ରତ୍ୟେକ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ୧୧,୦୦୦ ନୂତନ ନଳକୂପ ସ୍ଥାପନ ପଦକ୍ଷେପ, ଜଳସେଚନ ପାଇଁ ୧୨ ଘଣ୍ଟା ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ଐତିହାସିକ ନିଷ୍ପତ୍ତି, ଗୋଟିଏ ବର୍ଷରେ ୨୦୦ରୁ ଅଧିକ ନୂତନ ଡିଗ୍ରୀ କଲେଜ ଖୋଲିବା ଏବଂ ଝିଅମାନଙ୍କ ପାଇଁ ‘ମା’ ସୀତା ମହିଳା ବିଶ୍ୱବିଦ୍ୟାଳୟ’କୁ ମଞ୍ଜୁରି ପ୍ରଦାନ ଆଦି ଅନ୍ତର୍ଭୁକ୍ତ। “ବିହାରର ବିକାଶର ତାଲିକା ଏତେ ଦୀର୍ଘ ଯେ, ଯେକୌଣସି ମଞ୍ଚରୁ ଏହାକୁ ପୂରା ବର୍ଣ୍ଣନା କରିବା ସମ୍ଭବ ନୁହେଁ। ବିହାରର ବିକାଶକୁ ଅନୁଭବ କରିବାକୁ ହେଲେ ଏଠାକୁ ଆସିବାକୁ ପଡ଼ିବ,” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।
ସ୍ପଷ୍ଟ ଉଦ୍ଦେଶ୍ୟ ରହିଲେ ତାହାର ଦୃଶ୍ୟମାନ ପରିଣାମ ପରିଲକ୍ଷିତ ହୋଇଥାଏ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ ସରକାର ୧୨ ବର୍ଷ ମଧ୍ୟରେ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। “ଏହା ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତିର ପରିଣାମ ଏବଂ ଗରିବଙ୍କ କଲ୍ୟାଣ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ଫଳାଫଳ,” ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
୮୦ କୋଟି ଲୋକଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ, କୋଟି କୋଟି ପରିବାରକୁ ସୁରକ୍ଷା ଓ ଆଶ୍ରୟର ଭରସା ଦେଉଥିବା ପକ୍କା ଘର, ମହଙ୍ଗା ଚିକିତ୍ସାର ଆର୍ଥିକ ବୋଝରୁ ମୁକ୍ତି ଦେଉଥିବା ମାଗଣା ଚିକିତ୍ସା ସୁବିଧା ଏବଂ ମର୍ଯ୍ୟାଦାଜନକ ଜୀବନ ସୁନିଶ୍ଚିତ କରି ଶୌଚାଳୟ, ବିଦ୍ୟୁତ୍ ଓ ପାନୀୟ ଜଳ ଭଳି ମୌଳିକ ସୁବିଧା ମାଧ୍ୟମରେ କୋଟି କୋଟି ବଞ୍ଚିତ ନାଗରିକଙ୍କ ଜୀବନଧାରଣକୁ ସହଜ କରି ଭାରତ ଦାରିଦ୍ର୍ୟ ବିରୋଧୀ ଲଢ଼େଇରେ ସଫଳତା ହାସଲ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାଦ୍ୱାରା ଜୀବନରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ସେ କହିଥିଲେ, “ଏହି ସୁବିଧା ଯୋଗୁଁ ଦିନେ ଗରିବ ଥିବା ଲୋକଙ୍କ ମନରେ ମଧ୍ୟ ଆତ୍ମବିଶ୍ୱାସ ଜାଗ୍ରତ ହୋଇଛି ଏବଂ ସେମାନେ ଦାରିଦ୍ର୍ୟକୁ ପରାସ୍ତ କରି ଆଗକୁ ବଢ଼ିଛନ୍ତି।”
ବର୍ତ୍ତମାନର ରାଜ୍ୟ ସରକାରଙ୍କ ପରିଶ୍ରମ ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ଘରେ ଘରେ ପହଞ୍ଚାଇବାର ପ୍ରୟାସ ମାଧ୍ୟମରେ ଦାରିଦ୍ର୍ୟ ବିରୋଧୀ ଅଭିଯାନରେ ବିହାରର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ବିହାରରେ ୪୩ ଲକ୍ଷ ପରିବାର ପକ୍କା ଘର ପାଇଥିବା ବେଳେ ଗତ ଅଗଷ୍ଟ ମାସରେ ଆଉ ୧୧ ଲକ୍ଷ ଘରକୁ ମଞ୍ଜୁରି ମିଳିଛି। ସେହିପରି ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ପ୍ରାୟ ୭୫ ଲକ୍ଷ କୃଷକଙ୍କୁ ହଜାର ହଜାର କୋଟି ଟଙ୍କା ମିଳିଛି। ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସହାୟତା ଯୋଗାଇ ଗ୍ରାମାଞ୍ଚଳର ୫୦ ଲକ୍ଷ ମହିଳାଙ୍କୁ ‘ଲକ୍ଷପତି ଦିଦି’ ଭାବେ ସଶକ୍ତ କରାଯାଇଛି। “ଏଭଳି ପ୍ରୟାସର ଫଳସ୍ୱରୂପ ଆଜି ବିହାରର କୋଟି କୋଟି ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି ଏବଂ ଦେଶ ମଧ୍ୟ ଏହି ସଫଳତା ହାସଲ କରିଛି,” ବୋଲି ଶ୍ରୀ ମୋଦୀ କହିଥିଲେ।
ବିହାରର ଅଭୂତପୂର୍ବ ବିକାଶ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ଶେଷ କରିବା ସମୟରେ ପ୍ରଧାନମନ୍ତ୍ରୀ ସମସ୍ତ ମେଣ୍ଟ ସହଯୋଗୀଙ୍କୁ ବିକାଶର ଗତି ବଜାୟ ରଖିବାକୁ ଆହ୍ୱାନ ଜଣାଇଥିଲେ। “ଏବେ ଆମେ ଅଟକିଯିବା ନାହିଁ କିମ୍ବା ଥକିବା ନାହିଁ। ଏକ ସକ୍ଷମ, ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ବିହାର ଗଠନ ପାଇଁ ଆମେ ସମସ୍ତେ ମିଳିମିଶି ନିରନ୍ତର କାର୍ଯ୍ୟ କରିବାକୁ ହେବ,” ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।


