ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଶ୍ରୀକ୍ଷେତ୍ରରେ ପୁଣିଥରେ ଆରମ୍ଭ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ। ଆସନ୍ତା ନଭେମ୍ବର ୨୬ ଓ ୨୭ ତାରିଖରେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ ବୋଲି ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ମଧ୍ୟରେ ଏହି ଘୋଷଣାକୁ ନେଇ ବେଶ୍ ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ ମାସରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି କାର୍ଯ୍ୟ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ଜାରି ରହିଥିଲା। ତେବେ ପବିତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଦୈନିକ ନୀତିକାନ୍ତିର ବ୍ୟସ୍ତତା ଏବଂ ଅଗଣିତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସେବକ ଓ କମାଣ୍ଡରଙ୍କ ପରାମର୍ଶକ୍ରମେ ଏହି କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଆସନ୍ତା ନଭେମ୍ବର ୨୪ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୫ ତାରିଖରେ ଗୋଟିଏ ଦିନ ବ୍ୟବଧାନ ରଖାଯାଇଛି। ଏହାପରେ ୨୬ ଓ ୨୭ ତାରିଖରେ ପୁଣିଥରେ ଗଣତିମଣତି କାର୍ଯ୍ୟ କରାଯିବ।
ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାନକ କାର୍ଯ୍ୟପଦ୍ଧତି (ଏସ୍ଓପି) ଅନୁସାରେ ଏବଂ ଅନୁମୋଦିତ ବ୍ୟକ୍ତିଙ୍କ ଉପସ୍ଥିତିରେ ସମସ୍ତ ଗଣତିମଣତି ପ୍ରକ୍ରିୟା ସମ୍ପନ୍ନ ହେବ। ଏହି କାର୍ଯ୍ୟକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପାଳିଆ ସେବକଙ୍କ ସମେତ ବିଭିନ୍ନ ସେବକ ନିଯୋଗଙ୍କ ପୂର୍ଣ୍ଣ ସହଯୋଗ ଲୋଡ଼ାଯାଇଛି। ଅନ୍ୟପକ୍ଷରେ, ରତ୍ନଭଣ୍ଡାର ଗଣତିମଣତି ସମୟରେ ମଧ୍ୟ ଶ୍ରଦ୍ଧାଳୁମାନେ ପୂର୍ବଭଳି ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିସହ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି କୌଣସି ପ୍ରକାରେ ବାଧାପ୍ରାପ୍ତ କିମ୍ବା ପ୍ରଭାବିତ ନହୁଏ, ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ପାଢ଼ୀ ସ୍ପଷ୍ଟ କରିଛନ୍ତି।


