ଗଜପତି: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପରିବାର ସହ ଖୁସିରେ ମାଉସୀ ଘରକୁ ଯାଉଥିଲେ ଜଣେ ଯୁବତୀ। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ। ମଝି ରାସ୍ତାରୁ ବୋଲେରୋ ଗାଡ଼ିରେ ଯାଉଥିବା ଯୁବତୀଙ୍କୁ ବଳପୂର୍ବକ ଉଠାଇ ନେଲେ ଦୁର୍ବୃତ୍ତ। ଗଜପତି ଜିଲ୍ଲାର ଆର୍. ଉଦୟଗିରି ଅଞ୍ଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ଆର୍. ଉଦୟଗିରି ଥାନା ଅନ୍ତର୍ଗତ କାନକଟା ରାସ୍ତାରେ ଏହି ଅପହରଣ ଘଟଣା ଘଟିଛି। ଯୁବତୀ ଜଣକ ନିଜ ପରିବାର ସଦସ୍ୟଙ୍କ ସହ ବୋଲେରୋ ଗାଡ଼ିରେ ମାଉସୀ ଘରକୁ ଯାଉଥିଲେ। ହେଲେ ବାଟରେ ହଠାତ୍ କିଛି ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ବଳପୂର୍ବକ ଉଠାଇ ନେଇଥିଲେ। ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଆର୍. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହି ଘଟଣା ପଛରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରୁଛି ପୁଲିସ।
ପୁଲିସର ସନ୍ଦେହ ଅନୁସାରେ, ଯୁବତୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଥିବାରୁ ତାଙ୍କ ପ୍ରେମ ସମ୍ପର୍କରେ ଥିବା ଯୁବକ ଏଭଳି କାଣ୍ଡ ଘଟାଇଥାଇପାରନ୍ତି। ତେବେ ଏହି ଅପହରଣରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି।
ଅନ୍ୟପଟେ ଅପହୃତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଯୁବତୀଙ୍କୁ କେଉଁଠାରେ ରଖାଯାଇଛି ଏବଂ ଅପହରଣ ପଛରେ ପ୍ରକୃତରେ କାହାର ହାତ ରହିଛି, ସେନେଇ ତଦନ୍ତ ଚାଲିଛି। ଏନେଇ ଆର୍. ଉଦୟଗିରି ଥାନା ଅଧିକାରିଣୀ କଳ୍ପଲତା ପ୍ରଧାନ ସୂଚନା ଦେଇଛନ୍ତି।


