ନୂଆଦିଲ୍ଲୀ: ଗୃହଯୁଦ୍ଧରେ ଜର୍ଜରିତ ମିଆଁମାରରେ ସାମରିକ ବାହିନୀର ବର୍ବରତା ପୁଣିଥରେ ଚରମ ସୀମାରେ ପହଞ୍ଚିଛି। ଶନିବାର ଦେଶର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମିଆଁମାର ସେନା ପକ୍ଷରୁ କରାଯାଇଥିବା ଭୟଙ୍କର ବିମାନ ଆକ୍ରମଣରେ ଅତି କମ୍ରେ ୩୦ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନି ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ମିଆଁମାରର ମୋଏ ବାଏ ଜିଲ୍ଲାରେ ଚାଲିଥିବା ଏକ ବିବାହ ଉତ୍ସବ ସ୍ଥଳ ଉପରେ ହୋଇଥିବା ବୋମାମାଡ଼ରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପଶ୍ଚିମ ରାଖାଇନ ରାଜ୍ୟରେ ଘଟିଥିବା ଅନ୍ୟ ଦୁଇଟି ପୃଥକ୍ ବିମାନ ଆକ୍ରମଣରେ ଏକାଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହି ଘଟଣା ସହିତ ଗତ ତିନି ଦିନ ମଧ୍ୟରେ ସାମରିକ ବାହିନୀର ବୋମାମାଡ଼ରେ ମୃତ୍ୟୁସଂଖ୍ୟା ୬୦ ଟପିଛି। ଉଲ୍ଲେଖଯୋଗ୍ୟ ଯେ ଏକ ଅନ୍ତର୍ଜାତୀୟ ନ୍ୟାୟାଳୟ ମିଆଁମାର ରାଷ୍ଟ୍ର ଗଣହତ୍ୟା କରିଥିବା ନେଇ ରାୟ ଦେବାର ମାତ୍ର ଗୋଟିଏ ସପ୍ତାହ ପରେ ଏହି ନରସଂହାର ଘଟିଛି।
ମୋଏ ବାଏ ଜିଲ୍ଲାରେ ବିସ୍ଥାପିତ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ହଠାତ୍ ଆକାଶମାର୍ଗରୁ ବୋମାମାଡ଼ ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ନିଜ ନାମ ଗୋପନ ରଖି ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି ଯେ ସେ ପ୍ରଥମେ ମୁଣ୍ଡ ଉପରେ ଏକ ବିମାନ ଉଡ଼ିବାର ଶବ୍ଦ ଶୁଣିଥିଲେ ଏବଂ ଏହାର କିଛି କ୍ଷଣ ପରେ ବିବାହ ସ୍ଥଳ ଉପରେ ବୋମା ପଡ଼ିଥିଲା। ସେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଯାଇ ସେଠାରେ ୧୭ଟି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ଅନେକ ଲୋକ ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ। ଏହି ଦୃଶ୍ୟ ଦେଖି ସେ ସ୍ତବ୍ଧ ହୋଇଯାଇଥିଲେ ଏବଂ କାହାକୁ ପ୍ରଥମେ ଉଦ୍ଧାର କରିବେ ତାହା ବୁଝିପାରିନଥିଲେ। ଏହି ଆକ୍ରମଣ ପରେ ତାଙ୍କର ଜଣେ ଝିଆରୀଙ୍କ ସମେତ ଅନେକ ଲୋକ ନିଖୋଜ ଅଛନ୍ତି, ଯାହାଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନାହିଁ। ଅନ୍ୟପକ୍ଷରେ ଏକ ଉଦ୍ଧାରକାରୀ ସଂଗଠନର ମୁଖ୍ୟଙ୍କ ସୂଚନା ଅନୁଯାୟୀ, ଏହି ବିବାହ ସ୍ଥଳ ଆକ୍ରମଣରେ ୫ ଜଣ ଶିଶୁଙ୍କ ସମେତ ମୋଟ୍ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ଉତ୍ତୋଳିତ ଭିଡିଓ ଦୃଶ୍ୟରେ ରକ୍ତାକ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଦେଖିବାକୁ ମିଳିଛି।
ମୋ ବାଏ ସହର ଉପରେ ସାମରିକ ବାହିନୀର ନିୟନ୍ତ୍ରଣ ରହିଥିବାବେଳେ ସହର ବାହାରେ ଥିବା ଶାନ ଏବଂ କାରେନ୍ନି ରାଜ୍ୟର ସୀମାନ୍ତ ଅଞ୍ଚଳରେ ବିରୋଧୀ ଗୋଷ୍ଠୀ ସକ୍ରିୟ ଅଛନ୍ତି, ଯେଉଁଠାରେ ବହୁ ସଂଖ୍ୟାରେ ବିସ୍ଥାପିତ ଲୋକ ଆଶ୍ରୟ ନେଇଛନ୍ତି। ଏହା ପୂର୍ବରୁ ଗୁରୁବାର ଦିନ ମଧ୍ୟ ମିଆଁମାରରେ ହୋଇଥିବା ଅନ୍ୟ ଏକ ଆକ୍ରମଣରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ନିର୍ବାସିତ ଜାତୀୟ ଏକତା ସରକାର ପକ୍ଷରୁ ଦାବି କରାଯାଇଛି। ୨୦୨୧ ମସିହାରେ ଅଙ୍ଗ ସାନ ସୁ କିଙ୍କ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ସେନା କ୍ଷମତା ଦଖଲ କରିବା ପରଠାରୁ ଆରମ୍ଭ ହୋଇଥିବା ଏହି ରକ୍ତାକ୍ତ ଗୃହଯୁଦ୍ଧରେ ଏପର୍ଯ୍ୟନ୍ତ ସମସ୍ତ ପକ୍ଷରୁ ୧ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବା ବିଭିନ୍ନ ପର୍ଯ୍ୟବେକ୍ଷକ ସଂସ୍ଥା ଆକଳନ କରିଛନ୍ତି।


