ଦୀର୍ଘ କୋଡ଼ିଏ ଦିନ ଧରି ମହାରାଷ୍ଯ୍ରରେ ଚାଲିଥିବା ରାଜନୈତିକ ଟଣାଓଟରାରେ ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଆଜି ମହାରାଷ୍ଟ୍ରରେ ରାଜ୍ୟପାଳଙ୍କ ସୁପାରିଶ୍ କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଅକ୍ଟୋବର ୨୪ ତାରିଖରେ ନିର୍ବାଚନୀ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ଭିତରେ ରାଜ୍ୟପାଳ ଆଜି ତାଙ୍କ ସାମ୍ବିଧାନିକ କ୍ଷମତାର ଉପଯୋଗ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଛନ୍ତି। ଚଳିତ ମହାରାଷ୍ଟ୍ର ବିଧାନସଭାରେ ବିଜେପି- ଶିବସେନା ମେଣ୍ଟ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଜନାଦେଶ ପାଇଥିବାବେଳେ ସରକାର ଗଠନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ୫୦- ୫୦ ଫର୍ମୁଲାକୁ ନେଇ ମେଣ୍ଟ ଭାଙ୍ଗିବା ସହିତ ଏନ୍ସିପି ଓ କଂଗ୍ରେସ ସହିତ ମେଣ୍ଟ କରି ରାଜ୍ୟରେ ସରକାର ଗଠନ କରିବା ପାଇଁ ଯଥେଷ୍ଟ ବଳ ପ୍ରୟୋଗ କରିଥିଲା । କିନ୍ତୁ ୨୪ ଘଣ୍ଟାର ସମୟ ଭିତରେ ଶିବସେନା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲା । ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅଚଳାବସ୍ଥା ପାଇଁ ଶେଷରେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ୍ କରିଥିଲେ । ପରିଶେଷରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସୁପାରିଶ୍କୁ ମଞ୍ଜୁରୀ କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ କ୍ୟାବିନେଟ୍ ମଧ୍ୟ ରାଜ୍ୟରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ ଦେଇଥିଲା ।