ମୁମ୍ବାଇ, 21/12: ନାଗରିକତ୍ବ ଆଇନକୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ଏନେଇ ବେଶ୍ ବିରୋଧ ହେଉଛି। ଏନେଇ ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଆଇନ ନିର୍ଦ୍ଦିଷ୍ଟ ଏକ ଧର୍ମକୁ ଟାର୍ଗେଟ୍ କରୁଥିବାର କହିଛନ୍ତି ପାଓ୍ବାର। ଦେଶରେ ରହିଥିବା ଅନ୍ୟ ସମସ୍ତ ଗମ୍ଭୀର ବିଷୟରୁ ଧ୍ୟାନ ହଟାଇବା ପାଇଁ ସିଏଏ ଓ ଏନ୍ଆରସିକୁ ଅଣାଯାଇଛି। ଏହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ୍ କରୁଛି। ନେପାଳ ଓ ଶ୍ରୀଲଙ୍କାର ଆସୁଥିବା ଲୋକଙ୍କ ପାଇଁ କିଛି ନାହିଁ, କିନ୍ତୁ ପାକିସ୍ତାନ ଓ ଆଫଗାନିସ୍ତାନରୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହି ବିରୋଧ କେବଳ ସଂଖ୍ୟାଲଘୁ ନୁହଁନ୍ତି, ସମାଜର ସବୁ ବର୍ଗ ସେଲିବ୍ରିଟିମାନେ ମଧ୍ୟ କରୁଛନ୍ତି। ସିଏଏର ପରିଣତି ସମ୍ପର୍କରେ ସେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସତର୍କ କରିଥିବା ଶନିବାର ସୂଚନା ଦେଇଛନ୍ତି। ତେବେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ମାନ୍ଦାବସ୍ଥାରୁ ଲୋକଙ୍କ ଦୃଷ୍ଟି ହଟାଇବା ଲାଗି ସିଏଏ ଅଣାଯାଇଛି। ଏହାଦ୍ୱାରା ସାମାଜିକ ତଥା ଧାର୍ମିକ ଭେଦଭାବ ସୃଷ୍ଟି ହେବାର ଆଶଙ୍କା ସମ୍ପର୍କରେ ଏନ୍ସିପି କେନ୍ଦ୍ର ସରକାରଙ୍କୁ ସତର୍କ କରାଇଥିବା ପାଓ୍ବାର କହିଛନ୍ତି। (ଏଜେନ୍ସି)